Categories: ବାଣିଜ୍ୟ

ଭର୍ଚୁଆଲ ମିଟ୍‌ରେ ଦେଖାଦେଲେ ଜ୍ୟାକ୍‌ ମା

ନୂଆଦିଲ୍ଲୀ: ପ୍ରାୟ ୩ ମାସ ଆତ୍ମଗୋପନ ରହିବା ପରେ ଆଲିବାବାର ପ୍ରତିଷ୍ଠାତା ଜ୍ୟାକ୍‌ ମା ପୁଣି ଥରେ ଏକ ଭର୍ଚୁଆଲ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିବା ଜଣାପଡ଼ିଛି। ଚାଇନାର ସରକାରୀ ଖବରକାଗଜ ଏ ସମ୍ପର୍କିତ ଏକ ଭିଡିଓ ଜାରି କରିଛି। ପ୍ରାୟ ୧୦୦ ଗ୍ରାମୀଣ ଶିକ୍ଷକଙ୍କୁ ସେ ସମ୍ବୋଧିତ କରିଥିବା ନଜର ଆସିଛନ୍ତି। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଆଲିବାବା ଶେୟାର ୮.୫% ବଢ଼ିଛି। ଇଂରାଜୀ ଶିକ୍ଷକରୁ ଉଦ୍ୟୋଗୀ ହୋଇଥିବା ଜ୍ୟାକ୍‌ ବିଶ୍ୱର ଜଣେ ଜଣାଶୁଣା ବିଲିୟନେୟାର। ଆଲିବାବା ଗ୍ରୁପ୍‌ର ସେ ଅଧ୍ୟକ୍ଷ ଥିବା ବେଳେ ସେ ୩ ମାସ ନିଖୋଜ ହେବା ଖବର ବେଶ୍‌ ଚର୍ଚ୍ଚାରେ ରହିଥିଲା। ଚାଇନାର ପୁରୁଣା କାଳିଆ ଆର୍ଥତ୍କ ନିୟମ ଏବଂ ସରକାରୀ ବ୍ୟାଙ୍କକୁ ଅକ୍ଟୋବରରେ ଟାର୍ଗେଟ କରିବା ପରେ ସେ ବିବାଦୀୟ ହୋଇ ପଡିଥିଲେ। ଆଲିବାବାର ସହଯୋଗୀ କମ୍ପାନୀ ଆଣ୍ଟ ଗ୍ରୁପ୍‌ ଦୁନିଆର ସବୁଠୁ ବଡ ଆଇପିଓ ଆଣିବାକୁ ଯୋଜନା ରଖିଥିଲେ ମଧ୍ୟ ଚାଇନା ସରକାର ଏହା ହେବାକୁ ଦେଇ ନ ଥିଲେ। ପରେ ପରେ ଆଲିବାବା ଉପରେ ବିଭିନ୍ନ ନିୟମ ଉଲ୍ଲଂଘନ ଦର୍ଶାଇ ଚଢାଉ କରାଯାଇଥିଲା।
ସିଷ୍ଟମରେ ପରିବର୍ତ୍ତନ ଆଣିବା ଲାଗି ଜ୍ୟାକ୍‌ ଚାଇନା ସରକାରଙ୍କୁ ଅପିଲ କରିଥିଲେ। ବାଣିଜ୍ୟରେ ନୂଆ କରିବାର ପ୍ରୟାସକୁ ସରକାର ନ ଦବାନ୍ତୁ ବୋଲି ସେ କହିଥିଲେ। ସେଠାକାର ବ୍ୟାଙ୍କିଙ୍ଗ୍‌ ସିଷ୍ଟମକୁ ବୁଢ଼ାମାନଙ୍କର କ୍ଲବ କହିବା ପରେ ଚାଇନା ସରକାର ଜ୍ୟାକ୍‌ ମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଲେ। ଚାଇନାର ଫାଇନାନ୍ସିଆଲ ସିଷ୍ଟମରେ ରହିଥିବା ବିଭିନ୍ନ ସମସ୍ୟାକୁ ସର୍ବସାଧାରଣରେ ଆଲୋଚନା କରିବା ଜ୍ୟାକ୍‌ ମାଙ୍କ ଲାଗି ମହଙ୍ଗା ପଡିଲା। ଚାଇନାର ଫାଇନାନ୍ସିଆଲ ସିଷ୍ଟମ ଦ୍ୱାରା କେବଳ ୨୦% ଲାଭବାନ ହେଉଥିବା ସେ କହିବା ପରେ ସରକାରଙ୍କ ଆକ୍ରୋଶର ଶିକାର ହେଲେ। ଜ୍ୟାକ୍‌ ଯେତେବେଳେ ନିଜ ଶୋ’ରେ ନଜର ଆସିଲେ ନାହିଁ ତାଙ୍କୁ ଚାଇନା ସରକାର କୁଆଡେ ଲାପତା କରିଦେଇଛନ୍ତି କିମ୍ବା ଗୃହବନ୍ଦୀ କରିଥିବା ଚର୍ଚ୍ଚା ଜୋର ଧରିଥିଲା। ହେଲେ ଭର୍ଚୁଆଲ ହେଉ ପଛେ ସେ ନଜର ଆସିବା ପରେ ପୁଣି ଥରେ କମ୍ପାନୀର ଶେୟାର କାରବାର ବଢ଼ିଛି।

Share