ପାରଳାଖେମୁଣ୍ଡି, ୧୦ା୬(ଗିରଧାରୀ ପରିଛା):ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର ସମୟରେ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କରିବା ପରେ ଅପରାହ୍ନରେ ସ୍ବାମୀ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତା ମହିଳା ହେଲେ ମୋନିକା ପାଇକ ଏବଂ ତାଙ୍କ ସ୍ବାମୀ ନରେନ୍ଦ୍ର ପାଇକ। ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ସନ୍ଦେହ କରି ସ୍ବାମୀ ନରେନ୍ଦ୍ର ଏଭଳି ଘଟାଇଥିବା କୁହାଯାଉଛି। ଘଟଣାସ୍ଥଳରେ ସେରଙ୍ଗ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ଅପରପକ୍ଷରେ ଝିଅକୁ ହତ୍ୟା କରାଯିବା ନେଇ ମା’ ଜି.ସରୋଜିନୀଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ହତ୍ୟା ମାମଲା(ନଂ. ୩୮/୨୫) ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ସେଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ସନ୍ଧ୍ୟା ହେବାରୁ ନରେନ୍ଦ୍ରଙ୍କ ମୃତଦେହ ଜବତ କରାଯାଇ ପାରି ନ ଥିବା ଥାନା ଅଧିକାରୀ ପ୍ରମୋଦ ଖଣ୍ଡୁଆଳ କହିଛନ୍ତି।
ଖବରରୁ ଜଣାପଡ଼ିଛି, ଗାଇବା ଗ୍ରାମର ମୋନିକାଙ୍କୁ ନୂଆଗଡ଼ ବ୍ଲକ କେରେଡାଙ୍ଗ ଗ୍ରାମର ନରେନ୍ଦ୍ର ପାଇକ ୨୦୧୯ରେ ପ୍ରେମବିବାହ କରିଥିଲେ। ବିବାହ ପରଠାରୁ ନରେନ୍ଦ୍ର ସେଠାରେ ରହି ଏକ ତେଜରାତି ଦୋକାନ କରି ପରିବାର ଚଳାଇ ଆସୁଥିଲେ। ତେବେ ଗତ ଦୁଇବର୍ଷ ହେଲା ନରେନ୍ଦ୍ର ହାଇଦ୍ରାବାଦ ଯାଇ ସେଠାରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। କେରେଡାଙ୍ଗରେ ଠାକୁରାଣୀ ଯାତ୍ରା ଥିବାରୁ ନରେନ୍ଦ୍ର ହାଇଦ୍ରାବାଦରୁ ଆସି କେରେଡାଙ୍ଗକୁ ସ୍ତ୍ରୀ ଓ ଝିଅକୁ ଧରି ଯାଇଥିଲେ। ଯାତ୍ରା ସରିବା ପରେ ସେ ଗାଇବା ଗ୍ରାମକୁ ଆସି ଶ୍ୱଶୁର ଘରେ ରହୁଥିଲେ। ତେବେ ନରେନ୍ଦ୍ରଙ୍କ ମୋନିକାଙ୍କ ଚରିତ୍ର ଉପରେ ସନ୍ଦେହ ଆସିବାରୁ ସେ ଝିଅକୁ ଧରି ସମସ୍ତେ କେରେଡାଙ୍ଗ ଯାଇ ସେଠାରେ ରହିବାକୁ କହିଥିଲେ। ମାତ୍ର ମୋନିକା ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିଲେ। ପରକୀୟା ପ୍ରୀତିକୁ ନେଇ ଉଭୟଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ଲାଗି ରହୁଥିଲା। ସୋମବାର ଭୋର୍ ସମୟରେ ଶାଶୁ ଜି.ସରୋଜିନୀ ନାଳକୁ ଗାଧୋଇବା ପାଇଁ ଯାଇଥିଲେ। ଶ୍ୱଶୁର ନାତୁଣୀକୁ ଧରି ୨ ଦିନ ପୂର୍ବରୁ ଅନ୍ୟ ଏକ ଗାଁକୁ ବୁଲି ଯାଇଥିଲେ। ଏହି ସୁଯୋଗରେ ନରେନ୍ଦ୍ର ମୋନିକାଙ୍କ ଗଳାକାଟି ହତ୍ୟା କରିଥିଲେ। ମୋନିକା ପିନ୍ଧିଥିବା ୨ ଭରିର ସୁନା ମଙ୍ଗଳସୂତ୍ର ଧରି ସେ ଦୌଡ଼ି ପଳାଇବା ସମୟରେ ମା’ ଜି.ସରୋଜିନୀ ଦେଖି ସନ୍ଦେହ କରିଥିଲେ। ସେ ଘରେ ପହଞ୍ଚତ୍ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଝିଅର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ସାହି ପଡ଼ିଶା ପହଞ୍ଚତ୍ ସବୁ ଶୁଣି ନରେନ୍ଦ୍ରଙ୍କୁ ଆଖପାଖରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନ ଥିଲେ।


