
ଭୁବନେଶ୍ୱର,୧୦।୬: ସାରା ଦେଶରେ ବିବାହ ଓ ଶୁଭ କାର୍ଯ୍ୟ ଜାରି ରହିଥିଲା ବେଳେ ରୁପା ଦର ରେକର୍ଡ ସ୍ତରରେ ପହଞ୍ଚିଛି। ରୁପା ଓ ସୁନା ଦର ବୃଦ୍ଧି ମଧ୍ୟରେ ଉଭୟ ଗ୍ରାହକ ଓ ବ୍ୟବସାୟୀ ଆଶାଆଶଙ୍କାରେ ରହିଛନ୍ତି। ନୂଆଦିଲ୍ଲୀ ବଜାରରେ ରୁପା ଦର ପ୍ରାୟ ୧୫୦୦ ଟଙ୍କା ବୃଦ୍ଧି ଘଟି କିଲୋପିଛା ୧,୧୦, ୦୦୦ ଟଙ୍କା ହୋଇଥିଲା ବେଳେ ଭୁବନେଶ୍ୱରରେ କିଲୋପିଛା ୧୮୦୦ ଟଙ୍କା ବଢ଼ି ପ୍ରତି ଗ୍ରାମ ପିଛା ୧,୧୮୦ ଟଙ୍କାରେ ପହଞ୍ଚିଛି।
ସେହିଭଳି ଚେନ୍ନାଇ ବଜାରରେ ରୁପା ଦର ସର୍ବୋଚ୍ଚ ୨୩୦୦ ଟଙ୍କା ବୃଦ୍ଧି ପାଇ କିଲୋପିଛା ୧,୨୦,୦୦୦ ଟଙ୍କାରେ କାରବାର ହେଉଛି। ଏପରି କି ମୁମ୍ବାଇ ବଜାରରେ ରୁପା ଦର ୧୫୦୦ ଟଙ୍କା ବୃଦ୍ଧି ଘଟି ୧,୦୯,୩୦୦ ଟଙ୍କା ଏବଂ କୋଲକାତା ବଜାରରେ ୨୦୦୦ ଟଙ୍କା ବଢ଼ି ୧,୧୦,୮୦୦ ଟଙ୍କାରେ ପହଞ୍ଚିଛି।
ସେହିପରି ସୁନା ଦର ନୂଆଦିଲ୍ଲୀରେ ୭୨,୦୦୦ ରୁ ୯୮,୦୦୦ ଟଙ୍କା ଥିଲାବେଳେ ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ମଧ୍ୟ ସୁନା ଦର ୭୨,୫୦୦ ଟଙ୍କାରୁ ୯୯,୦୦୦ ଟଙ୍କାରେ କାରବାର ହେଉଛି। ଏପରି କି ଭୁବନେଶ୍ୱରରେ ସୁନା ଦର ୭୩୦୦୦ରୁ ୯୮୦୦୦ ମଧ୍ୟରେ ରହିଛି।
ଅପରପକ୍ଷରେ ବିବାହ ଓ ଶୁଭ କାର୍ଯ୍ୟ ପାଇଁ ଖୁଚୁରା ଓ ପ୍ରମୁଖ ଗହଣା ବ୍ୟବସାୟ ପ୍ରତିଷ୍ଠାନ (ଅଳଙ୍କାର ଶୋ’ରୁମ)ଗୁଡ଼ିକ ଆକର୍ଷଣୀୟ ରିହାତି ଓ ଅଫର ପ୍ରଦାନ କରୁଥିଲା ବେଳେ କାରବାର ଆଶାଜନକ ହେଉ ନ ଥିବା ଦେଖାଦେଇଛି; ଫଳରେ ଗ୍ରାହକମାନେ ଆଶାଆଶଙ୍କା ମଧ୍ୟରେ କାରବାର ସାଙ୍ଗକୁ ଦରବୃଦ୍ଧି ଯୋଗୁ ଅଗ୍ରୀମ ବୁକିଂ କରୁଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ, ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ପରିସ୍ଥିତି ଯୋଗୁ ଚାହିଦା ଅନୁଯାୟୀ ଉତ୍ପାଦନ ହେଉ ନ ଥିଲାବେଳେ ଦରବୃଦ୍ଧି ବଜାରରେ ଅସ୍ଥିରତା ସୃଷ୍ଟି କରୁଛି ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।