Categories: ଫୁରସତ

ନୀଳଚକ୍ରେ ହୋ ଦେଖ ଉଡୁଛି…

ନୀଳଚକ୍ର ବା ପତିତପାବନ ବାନାକୁ କେନ୍ଦ୍ରକରି ଭାବବିହ୍ବଳିତ କାବି୍ୟକ କୃତି ଉପରେ ଦୃଷ୍ଟିଦେଲେ ଜଣାଯାଏ ଆମ ସାହିତ୍ୟରେ ଅନେକ ଗୀତ/ଭଜନ ଲେଖାଯାଇଛି। ଭକ୍ତିରସରେ ଆଉଟି ହୋଇ ଭକ୍ତକବିମାନେ ନିଜ ଅନ୍ତରର ଭାବକୁ ଭାଷାରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିବେଦିତ କରିଛନ୍ତି। କବି ଗୌରଚରଣ ଅଧିକାରୀଙ୍କ ଭାଷାରେ ତଥା ଗୁରୁ ପ୍ରଫୁଲ୍ଲ କରଙ୍କ କଣ୍ଠରେ: ‘ନୀଳଚକ୍ରେ ହୋ ଦେଖ ଉଡ଼ୁଛି ବାନା, ପତିତପାବନ ନାମଟି ଯାର ନଁା…
ଆସ ଆସ ବୋଲି ପତିତମାନଙ୍କୁ
ଡାକୁଅଛି ପରା ସଙ୍ଗାତ ଅନା
ନେତ ଧ୍ୱଜାବର ଉଡ଼େ ଫରଫର ଉଡ଼ାଇଦେଉଛି ଭବ ଯାତନା।“
କବି ନିତ୍ୟାନନ୍ଦ ଅଭିଯୋଗ କରିଛନ୍ତି-
”ପତିତଜନଙ୍କୁ ଉଦ୍ଧାରିବା ପାଇଁ ଉଡ଼ାଉଅଛ ପତାକା
ବାହୁ ଟେକି ତୁମେ ବସି ଚାହୁଁ ଚାହୁଁ
ବିପତ୍ତି ପାରୁଛି ଡକା, ମହାପ୍ରଭୁ ହେ…
କବିସୂର୍ଯ୍ୟ ବଳଦେବ ରଥ ଅଭିମାନରେ ପ୍ରକାଶ କରିଛନ୍ତି-
କ୍ଷୀରମୟ ସିନ୍ଧୁ ଜେମା ପ୍ରାଣବନ୍ଧୁ ତୁମ୍ଭେ ତ ଜଗତପତି
ଟେକି ସମଦୃଷ୍ଟି ପତାକାକୁ ପୁଣି ଏକ ପକ୍ଷପାତ ରୀତି
ହେ ମହାପ୍ରଭୁ!
କେ କି ଦେଲା ମୁଁ ନ ଦେଲି
କେ କି ଦେଲା ଅବା, ମୁଁ ଅବା ନ ଦେବା
ଘେନି ଏତେ ସରି ହେଲି।
କବିସୂର୍ଯ୍ୟ ଏହି ଜଗନ୍ନାଥ ଜଣାଣ- ବ୍ୟାଜସ୍ତୁତି, କପଟ ଭର୍ତ୍ସନା। ଶେଷରେ ସେ ଜଣାନ୍ତି ”ସବୁ ତୁମ୍ଭ ଇଚ୍ଛା ସିନା / ରଖ ବା ନ ରଖ ମୋହର ଗତି ତ ପତିତପାବନ ବାନା“
ରାଜା ବୀରକେଶରୀ ଦେବ ଘୋର ନୈରାଶ୍ୟରେ ହାତ ଟେକି ଜଣାଇଛନ୍ତି-
ପତିତପାବନ ବାନା ଆଉ କେତେବେଳକୁ
ଭାସିଗଲି ଭବଜଳେ ନାବ ଦିଅ କୂଳକୁ।“
ବିଂଶ ଶତାବ୍ଦୀର କବି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖିଛନ୍ତି-
”ସବୁଥିରୁ ବଞ୍ଚିତ କରି କେଉଁ ଯଶବାନା ଉଡ଼ାଇବ ହେ…“।
ଆହୁରି ଅନେକ ବିଦଗ୍ଧ କବି ନୀଳଚକ୍ର ଓ ପତିତପାବନ ବାନାକୁ ନିଜର ସାରସ୍ବତ କୃତି ମାଧ୍ୟମରେ ଜଣାଇଛନ୍ତି।

Share