ବାୟାପଣ୍ଡାଧାର ଜୁଆଙ୍ଗ ସାହିରେ ପହଞ୍ଚିଲେ ଆଇଟିଡିଏ ଟିମ୍‌

କେନ୍ଦୁଝର,୩ା୮(ସ୍ବ.ପ୍ର.): କେନ୍ଦୁଝର ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଜୁଆଙ୍ଗ ଗ୍ରାମରେ କେନ୍ଦୁଝର ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ତପନ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି ା ଏନେଇ ଧରିତ୍ରୀରେ ଖବର ପାଇବା ପରେ ଉକ୍ତ ଅଞ୍ଚଳକୁ ଗସ୍ତ କରି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଅନ୍ୟାନ୍ୟ ସମସ୍ୟା ବୁଝିଥିଲେ। ତାଙ୍କ ସହିତ ଆଇଟିଡିଏର ସହକାରୀ ଯନ୍ତ୍ରୀ, ଜୁଆଙ୍ଗ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ଓ ପ୍ରକଳ୍ପ ସଂଯୋଜକ ଯୋଗଦେଇ ଖବରରେ ପ୍ରକାଶିତ ବର୍ଷକ ମଧ୍ୟରେ ୧୨ ଜଣ ଜୁଆଙ୍ଗଙ୍କ ଅକାଳ ମୃତ୍ୟୁର କାରଣ ଏବଂ ଲୋକଙ୍କ ସମସ୍ୟା ବୁଝିଥିଲେ। ସେହିପରି ଉକ୍ତ ଅଞ୍ଚଳରେ କାର୍ଯ୍ୟ କରୁଥିବା ଆରସିଡିସି ସଂଗଠନର ପ୍ରୋଗ୍ରାମ ସଂଯୋଜକ ଆନନ୍ଦ ଚରଣ ସେଠୀ, ବୀରବର ନାୟକ ଉପସ୍ଥିତ ଥିଲେ।
ଆଲୋଚନା ବେଳେ ଜୁଆଙ୍ଗମାନେ ସେମାନଙ୍କ ଘର ସମସ୍ୟା, ରୋଜଗାର ସମସ୍ୟା ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ଅବସ୍ଥା ଆଦି ସମସ୍ୟା ଜଣାଇବା ସହ ଅକାଳରେ ମୃତ୍ୟୁ ଲୋକଙ୍କ ବିଷୟରେ ଅବଗତ କରିଲେ। ଉକ୍ତ ଗ୍ରାମରେ ଜୁଆଙ୍ଗମାନେ ଘର ପାଇ ନ ଥିବା ବେଳେ ପାଣି, ରୋଜଗାର ପରି ଅନେକ ସମସ୍ୟାରେ ରହୁଥିବା କହିଥିଲେ ଗ୍ରାମବାସୀ। ଏନେଇ ତପନ କୁମାର ନାୟକ କହିଛନ୍ତି, ଖବର ପ୍ରକାଶ ପରେ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ଦେଖିଛନ୍ତି ଏବଂ ଶୁଣିଛନ୍ତି। ଏନେଇ ସେ ଜିଲାପାଳଙ୍କୁ ରିପୋର୍ଟ କରି ସେମାନଙ୍କ ସମସ୍ୟା ସମାଧାନ କରିବାକୁ ପଦକ୍ଷେପ ନେବେ।