ନୂଆଦିଲ୍ଲୀ,୮ା୧: ଆମେରିକା ପକ୍ଷରୁ କରାଯାଉଥିବା ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ମାନବାଧିକାର ଉଲ୍ଲଂଘନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ୱେଜ୍। ସେ କହିଛନ୍ତି ଆମେରିକାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭେନେଜୁଏଲାର ପ୍ରାକୃତିକ ସମ୍ପଦ ଉପରେ କବ୍ଜା କରିବା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ରାଷ୍ଟ୍ରୀୟ ଟେଲିଭିଜନରେ ସମ୍ବୋଧନ ଦେଇ ରୋଡ୍ରିଗ୍ୱେଜ୍ କହିଛନ୍ତି, “ଉତ୍ତର ଆମେରିକାର ଶକ୍ତି ଲୋଭ ଆମ ଦେଶର ସମ୍ପଦ ଚାହୁଁଛି। ଗଣତନ୍ତ୍ର ଓ ମାନବାଧିକାରର ଦ୍ୱାହି କେବଳ ଏକ ବାହାନା ମାତ୍ର। ଏହା ସବୁବେଳେ ତେଲ ପାଇଁ ହିଁ ଥିଲା।”
ସେ ସ୍ପଷ୍ଟ କରିଛନ୍ତି ଯେ, ଭେନେଜୁଏଲା ଏପରି ଏକ ଶକ୍ତି ସମ୍ପର୍କ ପାଇଁ ପ୍ରସ୍ତୁତ ଯେଉଁଠାରେ ଉଭୟ ପକ୍ଷ ଉପକୃତ ହେବେ ଏବଂ ଏହା ଏକ ସ୍ୱଚ୍ଛ ବାଣିଜ୍ୟିକ ଚୁକ୍ତି ଆଧାରରେ ହେବ।
ଦେଶରେ ଫାସିବାଦୀ ଓ ଚରମପନ୍ଥୀ ବିଚାରଧାରାକୁ ରୋକିବା ପାଇଁ ଏକ ନୂତନ ବିଲ୍ ଅଣାଯିବ ବୋଲି ସେ ଘୋଷଣା କରିବା ସହ ଜାତୀୟ ଶାନ୍ତି ରକ୍ଷା ପାଇଁ ସମସ୍ତ ରାଜନୈତିକ ଶକ୍ତିକୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ୍’ରେ ସୂଚନା ଦେଇଛନ୍ତି ଯେ, ଏକ ନୂତନ ତେଲ ଚୁକ୍ତି ଅନୁଯାୟୀ ଭେନେଜୁଏଲା ଆମେରିକାଠାରୁ କୃଷିଜାତ ଦ୍ରବ୍ୟ, ଔଷଧ ଏବଂ ବୈଦ୍ୟୁତିକ ଉପକରଣ ଭଳି ଅନେକ ସାମଗ୍ରୀ କ୍ରୟ କରିବ। ଟ୍ରମ୍ପ ଏହି ପଦକ୍ଷେପକୁ ଉଭୟ ଦେଶ ପାଇଁ ଲାଭଦାୟକ ବୋଲି ବର୍ଣ୍ଣନା କରିଛନ୍ତି।


