Categories: ବାଣିଜ୍ୟ

ଆର୍ଥତ୍କ ପୁନରୁଦ୍ଧାର ପାଇଁ ଲାଗିପାରେ ୫ ବର୍ଷ

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରଭାବ ଯୋଗୁ ସାରା ବିଶ୍ୱ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ବିଶ୍ୱବଜାରର ଆର୍ଥତ୍କ ପୁନରୁଦ୍ଧାର ଲାଗି ଅନ୍ତତଃ ପକ୍ଷେ ୫ ବର୍ଷ ସମୟ ଲାଗିପାରେ ବୋଲି ବିଶ୍ୱ ବ୍ୟାଙ୍କ ମୁଖ୍ୟ ଅର୍ଥନୀତିଜ୍ଞ କାର୍ମେନ ରେନ୍‌ହାଟ ଗୁରୁବାର ମତ ରଖିଛନ୍ତି। କରୋନାକୁ ନିୟନ୍ତ୍ରଣ କରିବା ଲାଗି ସାରା ବିଶ୍ୱରେ କଟକଣା ଲାଗୁ ହୋଇଛି। ଏହାକୁ କିଛି ଦେଶ ପର୍ଯ୍ୟାୟ ଭିତ୍ତିରେ ଉଠାଣ କରୁଛନ୍ତି। ମାତ୍ର ବଜାରର ଭଲ ଅବସ୍ଥା ଫେରିବା ଲାଗି ୫ ବର୍ଷ ସମୟ ଲାଗିପାରେ ବୋଲି ସେ ମାଡ୍ରିଡ୍‌ରେ ଅନୁଷ୍ଠିତ ଏକ ଭର୍ଚୁଆଲ କନ୍‌ଫରେନ୍ସରେ ଏଭଳି ମତ ପ୍ରକାଶ କରିଛନ୍ତି।
ସେ ପୁଣି କହିଛନ୍ତି ଯେ, ମହାମାରୀ ଜନିତ ମାନ୍ଦାବସ୍ଥା ଯୋଗୁ ବିଶ୍ୱର ଅର୍ଥ ବ୍ୟବସ୍ଥାଗୁଡ଼ିକ ଅନେକ ଚାପର ସମ୍ମୁଖୀନ ହେବେ। କେତେକ ଦେଶରେ ଏହି ମାନ୍ଦାବସ୍ଥା ଅଧିକ ଉତ୍କଟ ହେବା ସହ ଅଧିକ ସମୟ ରହିବ। ଅନ୍ୟ କେତେକ ଦେଶ ଭିତରେ ଗରିବଙ୍କ ମଧ୍ୟରେ ଅସମାନତା ବଢ଼ିବ। ଏହାଦ୍ୱାରା ଗରିବ ଲୋକମାନେ ବେଶି ଅସୁବିଧା ସାମ୍ନା କରିବେ। ଉନ୍ନତ ଦେଶଗୁଡ଼ିକର ଗରିବ ଲୋକମାନେ ଏହି ସମସ୍ୟାରୁ ବର୍ତ୍ତିପାରିବେ ନାହିଁ। ଧନଶାଳୀ ଦେଶଗୁଡିକ ତୁଳନାରେ ଗରିବ ଦେଶଗୁଡିକର ସମସ୍ୟା ବଢ଼ିଯିବ। ସେହିଭଳି ଗତ ୨୦ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ଗରିବୀ ହାର ବଢିବ ବୋଲି କାର୍ମେନ ସ୍ପଷ୍ଟ କରିଛନ୍ତି।

Share