ନୂଆଦିଲ୍ଲୀ,୧୦।୬: ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀ ଦଳଗୁଡ଼ିକର ଆକ୍ରମଣ ମଧ୍ୟରେ ପାଲଟା ଜବାବ ଦେଇଛି ଭାଜପା। ଭାଜପା ଏମ୍ପି ସମ୍ବିତ ପାତ୍ର ବିରୋଧୀ ଦଳଗୁଡ଼ିକ ଉପରେ ତୀବ୍ର ଆକ୍ରମଣ କରି କହିଛନ୍ତି। ଏକ ଯୋଜନାବଦ୍ଧ ପ୍ରୟାସ ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ କ୍ଷମତାକୁ ଆଣିବା ପାଇଁ ବିରୋଧୀ ଦଳଗୁଡ଼ିକ ଚେଷ୍ଟା କରୁଛନ୍ତି।
ସମ୍ବିତ କହିଛନ୍ତି ଯେ, ଏହି ପ୍ରକ୍ରିୟା ଆଜିଠାରୁ ନୁହେଁ ବରଂ ଦୀର୍ଘଦିନ ଧରି ବାରମ୍ବାର ଚାଲିଆସୁଛି। ନିର୍ବାଚନ କମିଶନ ଏବଂ CEC ଜ୍ଞାନେଶ କୁମାରଙ୍କୁ ନେଇ ବିରୋଧୀଙ୍କ ଅଭିଯୋଗକୁ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। CEC ଜ୍ଞାନେଶ କୁମାରଙ୍କ ନିଯୁକ୍ତି ୧୯ ଫେବ୍ରୁଆରୀ ୨୦୨୫ରେ ହୋଇଥିଲା। ଏହା ପୂର୍ବରୁ ଭାଜପା ଲୋକ ସଭା ଏବଂ ଅନେକ ବିଧାନସଭା ନିର୍ବାଚନ ଜିତିସାରିଥିଲା ବୋଲି ସେ ଦାବି କରିଛନ୍ତି।
ଏହି ପ୍ରସଙ୍ଗରେ ସେ କହିଛନ୍ତି, ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ ସାହାଯ୍ୟ କରୁଛନ୍ତି। ବିରୋଧୀ ଦଳଗୁଡ଼ିକ ରାହୁଲ ଗାନ୍ଧୀଙ୍କୁ ବାରମ୍ବାର ରାଜନୈତିକ ଭାବେ ଲଞ୍ଚ ଏବଂ ରିଲଞ୍ଚ କରିବାକୁ ଚେଷ୍ଟା କରୁଥିବା ସମ୍ବିତ ପାତ୍ର ଅଭିଯୋଗ କରିଛନ୍ତି। ଏଥିରେ ସଫଳତା ନ ମିଳିବା ପରେ ବିରୋଧୀ ଦଳଗୁଡ଼ିକ ଅରାଜକତା ସୃଷ୍ଟି କରିବା ସହ ବିଭିନ୍ନ ପ୍ରସଙ୍ଗକୁ ନେଇ ଆକ୍ରମଣ କରୁଛନ୍ତି। ସୁପ୍ରିମକୋର୍ଟ, HAL, ଦେଶର ହିନ୍ଦୁ ଏବଂ ବର୍ତ୍ତମାନ ନିର୍ବାଚନ କମିଶନଙ୍କୁ ନେଇ ବିରୋଧୀଙ୍କ ଆକ୍ରମଣ ଜାରି ରହିଛି ବୋଲି ସେ କହିଛନ୍ତି।
ଫର୍ମ-୬କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ସମ୍ବିତ ପାତ୍ର କହିଛନ୍ତି, ନିର୍ବାଚନ କମିଶନଙ୍କ ଅନୁସାରେ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବରଂ SIR ପ୍ରକ୍ରିୟା ପାଇଁ ଫର୍ମ-୬ ସହ ଏକ ଘୋଷଣାପତ୍ର ଯୋଡ଼ାଯାଇଛି।
ସୁପ୍ରିମକୋର୍ଟରେ CECଙ୍କୁ ହଟାଇବା ଦାବିରେ ଆବେଦନ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବ୍ୟାଲଟ ପେପରରେ ନିର୍ବାଚନ କରାଯିବା ନେଇ ପ୍ରଶ୍ନକୁ ନେଇ ସମ୍ବିତ କହିଛନ୍ତି, ବ୍ୟାଲଟ ପେପରରେ ନିର୍ବାଚନ ପ୍ରସଙ୍ଗକୁ ନେଇ କଂଗ୍ରେସର ପୂର୍ବ ରେକର୍ଡକୁ ମଧ୍ୟ ଦେଖିବା ଆବଶ୍ୟକ। ୧୯୮୯ରେ ରାଜୀବ ଗାନ୍ଧୀଙ୍କ ସମୟରେ ନିର୍ବାଚନରେ ଇଲେକ୍ଟ୍ରୋନିକ ଭୋଟିଂ ପ୍ରଣାଳୀ ଆଣିବାର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତ୍ରିପୁରାରେ ନିକଟରେ ଭିଲେଜ କମିଟି ନିର୍ବାଚନ ବ୍ୟାଲଟ୍ରେ ହୋଇଥିବାବେଳେ ସେଠାରେ ଭାଜପା ବିଜୟୀ ହୋଇଥିବା ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ସମ୍ବିତ ରାହୁଲ ଗାନ୍ଧୀଙ୍କୁ ପ୍ରଶ୍ନ କରି କହିଛନ୍ତି, ଭୋଟର ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ ରହିବା ଉଚିତ କି? ଦେଶର ଭୋଟର ତାଲିକାରୁ ପ୍ରାୟ ୨.୮ କୋଟି ମୃତ ବ୍ୟକ୍ତିଙ୍କ ନାଁ ହଟାଇବା ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ରହିଛି। ଏହା ସହିତ କର୍ନାଟକ ଓ ତାମିଲନାଡୁ ନିର୍ବାଚନକୁ ନେଇ ମଧ୍ୟ ସେ କଂଗ୍ରେସକୁ ପ୍ରଶ୍ନ କରିଛନ୍ତି। ନିର୍ବାଚନ କମିଶନକୁ ନେଇ ବିରୋଧୀଙ୍କ ଅଭିଯୋଗ ଏବଂ ଭାଜପାର ପାଲଟା ଜବାବ ମଧ୍ୟରେ ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀର ରାଜନୈତିକ ମାହୋଲ ଆହୁରି ସରଗରମ ହୋଇଛି।