ପ୍ରତିବର୍ଷ ସେପ୍ଟେମ୍ବର ୧୫ରେ ପାଳିତ ହୋଇଆସୁଛି ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ। ଏହି ଦିବସ ପାଳନର ଉଦ୍ଦେଶ୍ୟ, ଗଣତାନ୍ତ୍ରିକ ନୀତିଗୁଡ଼ିକୁ ପ୍ରୋତ୍ସାହିତ କରିବା, ମାନବାଧିକାରକୁ ବଜାୟ ରଖିବା, ଅଂଶଗ୍ରହଣକୁ ଉତ୍ସାହିତ କରିବା ଏବଂ ଅନ୍ତର୍ଭୁକ୍ତ ସମାଜକୁ ପ୍ରୋତ୍ସାହନ ଦେବା। ଏଥିସହ ଏହି ଦିବସ ସ୍ବାଧୀନତାର ସୁରକ୍ଷା, ନିରପେକ୍ଷ ଏବଂ ସମାନ ସରକାରୀ ବ୍ୟବସ୍ଥା ଗଠନରେ ସମସ୍ତ ‘ସ୍ବର’ର ଯୋଗଦାନକୁ ଗୁରୁତ୍ୱ ପ୍ରଦାନ କରିଥାଏ। ସୂଚନାଯୋଗ୍ୟ ୨୦୦୭ରେ ଗଣତନ୍ତ୍ରର ନୀତିଗୁଡ଼ିକୁ ପ୍ରୋତ୍ସାହନ ସହ ବଜାୟ ରଖିବା ପାଇଁ ମିଳିତ ଜାତିସଂଘ ସାଧାରଣ ପରିଷଦ ଦ୍ୱାରା ‘ଜାତୀୟ ଗଣତନ୍ତ୍ର ଦିବସ’ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା।
ତେବେ ଏହି ଦିବସର ଉତ୍ପତ୍ତି ୧୯୮୮ ମସିହାରେ ଆରମ୍ଭ ହୋଇଥିବା ନୂତନ ଏବଂ ପୁନଃସ୍ଥାପିତ ଗଣତନ୍ତ୍ର ଉପରେ ଅନ୍ତର୍ଜାତୀୟ ସମ୍ମିଳନୀରୁ ସୃଷ୍ଟି ହୋଇଥିଲା। ଏଥିସହ ଏହା ଏକ ପ୍ରମୁଖ ମାଇଲଖୁଣ୍ଟ ଥିଲା କାରଣ ୧୯୯୭ ସେପ୍ଟେମ୍ବର ୧୫ରେ ଗଣତନ୍ତ୍ର ଉପରେ ସାର୍ବଜନୀନ ଘୋଷଣାପତ୍ର ଆନ୍ତଃ-ସଂସଦୀୟ ସଂଘ ଦ୍ୱାରା ଗୃହୀତ ହୋଇଥିଲା। ତେବେ ୨୦୦୮ସେପ୍ଟେମ୍ବର ୧୫ରେ ପ୍ରଥମ ଅନ୍ତ୍ରର୍ଜାତୀୟ ଗଣତନ୍ତ୍ର ଦିବସ ୪୬ଟି ଜାତୀୟ ସଂସଦ ଦ୍ୱାରା ପାଳନ କରାଯାଇଥିଲା।


