Categories: ମେଟ୍ରୋ

ଶିକ୍ଷା ମାଧ୍ୟମରେ ସାମଗ୍ରିକ ଓଡ଼ିଶା ଗଠନକୁ ଗୁରୁତ୍ୱ

ଭୁବନେଶ୍ୱର, ୧୮।୧(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ବ୍ରହ୍ମପୁର ଜୋନ୍‌ରେ ଥିବା ୮ ଜିଲାର ଜିଲା ଶିକ୍ଷାଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷାଧିକାରୀ(ବିଇଓ)ଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଆରମ୍ଭ ହୋଇଛି। ଭୁବନେଶ୍ୱରସ୍ଥିତ କୃଷିଭବନ ଅଡିଟୋରିଅମରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଶିକ୍ଷା ମାଧ୍ୟମରେ ସାମଗ୍ରିକ ଓଡ଼ିଶା ଗଠନକୁ ଗୁରୁତ୍ବ ଦେଇଛନ୍ତି। ଏହାସହ ଚିରାଚରିତ କାର୍ଯ୍ୟପନ୍ଥାରୁ ବାହାରି କାର୍ଯ୍ୟ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ବିଭାଗର ଶାସନ ସଚିବ ଆଶ୍ୱଥୀ ଏସ୍‌ ଶିକ୍ଷା ହିଁ ଆମ ବିଶ୍ୱାସକୁ ବୃଦ୍ଧି କରିଥାଏ ବୋଲି କହିଛନ୍ତି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଦୁର୍ଗାପ୍ରସାଦ ମହାପାତ୍ର ସ୍ବାଗତ ଭାଷଣରେ ବିଭାଗର ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ଯଥାସାଧ୍ୟ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜ୍ୟୋତି ରଞ୍ଜନ ମିଶ୍ର, ଟିଇ ଆଣ୍ଡ୍‌ ଏସ୍‌ସିଆର୍‌ଟି ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ଡିଇଓ ଏବଂ ବିଇଓମାନଙ୍କୁ ପ୍ରତ୍ୟକ୍ଷ ଭାବରେ ସ୍କୁଲ୍‌ ପରିଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ନକଲି/ଜାଲି ଶିକ୍ଷକଙ୍କ ବିରୋଧରେ ଥିବା ମାର୍ଗଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ କୁହାଯାଇଛି। ମୋ ସରକାର ପ୍ରକୋଷ୍ଠ, ପିଏମ୍‌ ପୋଷଣ, ଏମ୍‌ଡିଏମ୍‌, ଆର୍‌ଟିଇ ଆଦି ଅନେକ ବିଷୟରେ ଆଲୋଚନା କରାଯାଇଛି। ଏହାବ୍ୟତୀତ ନାରୀଶିକ୍ଷାକୁ ଅଗ୍ରାଧିକାର ଦେଇ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଅଧୀନରେ ଥିବା ସ୍କୁଲଗୁଡ଼ିକରେ ନାମଲେଖା ବୃଦ୍ଧିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ଶିବିରରେ ୮ଟି ଜିଲାର ଜିଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ ସମେତ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।