ଅନ୍ୟ ଜାତିରେ ବିବାହ କରିବାରୁ ବାସନ୍ଦ : ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ପରିବାର

ଛତ୍ରପୁର,୬ା୬(ଡି.ଏନ୍‌.ଏ.): ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ ଜଣେ ଯୁବକ ଅନ୍ୟ ଜାତିରେ ବିବାହ କରିବାରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ସମ୍ପୃକ୍ତ ପରିବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
କଳମ୍ବ ଗାଁର ଅରୁଣ ପ୍ରଧାନଙ୍କ ପୁଅ ଅରବିନ୍ଦଙ୍କ ମର୍ଦ୍ଦକୋଟର ଜଣେ ଅନ୍ୟ ଜାତିର ଝିଅଙ୍କ ସହ ଗତ ଜାନୁୟାରୀ ୨୪ ତାରିଖରେ ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା। ତେବେ ପରେ ଜାତି ସମାଜର ବୈଠକର ନିଷ୍ପତ୍ତି ପ୍ରକାରେ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅରୁଣ ଅଭିଯୋଗ କରିଛନ୍ତି। ଏପରିକି ବିବାହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମ୍ପର୍କୀୟମାନଙ୍କୁ ମଧ୍ୟ ମାନସିକ ନିର୍ଯାତନା ସହ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଥିବା ସେ କହିଛନ୍ତି। ଏହାର ଉଚିତ୍‌ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ୧ ତାରିଖରେ ପୋଲସରା ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା (୨୧୯/୨୨) ରୁଜୁ କରିଛି। ସୋମବାର ଅରୁଣଙ୍କ ପରିବାର ଛତ୍ରପୁର ଆସି ଜିଲାପାଳଙ୍କୁ ଭେଟି ଏ ନେଇ ଲିଖିତ ଜଣାଇବା ସହ ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରିଛନ୍ତି। ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନ ହେଲେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ପରିବାର ପକ୍ଷରୁ କୁହାଯାଇଛି।