Categories: ଅପରାଧ

ଅବିବାହିତ ଭାବି ମହିଳାଙ୍କ ସହ ସମ୍ପର୍କ ରଖିବା ବ୍ୟାଙ୍କ ମ୍ୟାନେଜରଙ୍କୁ ପଡ଼ିଲା ମହଙ୍ଗା

ଇନ୍ଦୋର, ୧୯।୧୦: ମଧ୍ୟପ୍ରଦେଶର ଇନ୍ଦୋରରୁ ହନି ଟ୍ରାପ୍‌ର ଏକ ଅନନ୍ୟ ମାମଲା ସାମ୍ନାକୁ ଆସିଛି। ଘରୋଇ କାମ କରୁଥିବା ମହିଳାଙ୍କୁ ଅବିବାହିତ ଭାବି ଜଣେ ବ୍ୟାଙ୍କ ମ୍ୟାନେଜର ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଯେତେବେଳେ ମହିଳାଜଣଙ୍କ ବ୍ଲାକମେଲିଂ କରିବା ଆରମ୍ଭ କଲେ ସେତେବେଳେ ବ୍ୟାଙ୍କ ମ୍ୟାନେଜର ଜାଣିଲେ ମହିଳା କେବଳ ବିବାହିତା ନୁହଁନ୍ତି ତାଙ୍କର ସନ୍ତାନ ମଧ୍ୟ ରହିଛି।
ସୂଚନା ଅନୁଯାୟୀ, ୩୪ ବର୍ଷୀୟ ବ୍ୟାଙ୍କ ମ୍ୟାନେଜର ନିଖିଳ ମାଥୁରଙ୍କ ପୋଷ୍ଟିଂ ଯେତେବେଳେ ଗ୍ବାଲିଅର ଓ ଭୋପାଳରେ ହୋଇଥିଲା ସେତେବେଳେ ଜଣେ ମହିଳା ତାଙ୍କ ଘରୋଇ କାମ କରୁଥିଲେ। ନିଖିଳ ଭାବିଥିଲେ ଯେ ମହିଳାଜଣଙ୍କ ଅବିବାହିତ। ତେଣୁ ସେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ପରେ ସମ୍ପର୍କ ସ୍ଥାପନ କରିଥିଲେ। ଏହି ସମୟରେ ମହିଳଜଣଙ୍କ ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଶୁଟ୍‌ କରି ନେଇଥିଲେ। ପରେ ଯେତେବେଳେ ନିଖିଳ ଜାଣିବାକୁ ପାଇଥିଲେ ମହିଳାଜଣଙ୍କ ବିବାହିତ ଏବଂ ତାଙ୍କର ସନ୍ତାନ ରହିଛି ସେତେବେଳେ ସେ ଦୂରେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳାଜଣଙ୍କ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଏପରିକି ଧମକ ଦେଇ ମହିଳା ଓ ତାଙ୍କ ସ୍ବାମୀ ନିଖିଳଙ୍କଠାରୁ ପର୍ଯ୍ୟାୟକ୍ରମେ ୫ ଲକ୍ଷ, ଦେଢ଼ ଲକ୍ଷ ଓ ୨ ଲକ୍ଷ ଟଙ୍କା ଆଦାୟ କରିଥିଲେ। ପୋଲିସ ଏହି ଘଟଣାରେ ଦମ୍ପତ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ସନ୍ଧାନରେ ରହିଛି।