Categories: ଖେଳ

ଜାଡେଜାଙ୍କୁ ଅଧିନାୟକ କରିବା ଧୋନୀଙ୍କ ନିଷ୍ପତ୍ତି

ନୂଆଦିଲ୍ଲୀ,୨୪।୩: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ଭାର ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିଛନ୍ତି ମହେନ୍ଦ୍ର ସିଂ ଧୋନୀ। ଏ ନେଇ ଚେନ୍ନାଇ ଫ୍ରାଞ୍ଚାଇଜ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

“ଧୋନୀ ସିଏସ୍‌କେର ନେତୃତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଜାଡେଜାଙ୍କୁ ଦଳର ପରବର୍ତ୍ତୀ ଅଧିନାୟକ ବାଛିଛନ୍ତି। ୨୦୧୨ରୁ ଚେନ୍ନାଇର ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇରହିଥିବା ଜାଡେଜା ୩ୟ ଖେଳାଳି ଭାବେ ସିଏସ୍‌କେ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି। ଧୋନୀ ସିଏସ୍‌କେ ପାଇଁ ଚଳିତ ସିଜନ ଏବଂ ପରେ ଖେଳିବା ଜାରି ରଖିବେ “ ବୋଲି ସିଏସ୍‌କେ ପକ୍ଷରୁ କୁହାଯାଇଛି। ଏହି ବିବୃତିରୁ ପୂରା ସ୍ପଷ୍ଟ ଯେ, ଧୋନୀ ହିଁ ତାଙ୍କ ଉତ୍ତରାଧିକାରୀ ଭାବେ ଜାଡେଜାଙ୍କୁ ବାଛିଛନ୍ତି। ତେବେ ଦୀର୍ଘ ଦିନ ହେଲା ସିଏସ୍‌କେ ପାଇଁ ଖେଳୁଥିବା ଏହି ଅଲରାଉଣ୍ଡର ଅଧିନାୟକ ହେବା ଲାଗି ଦଳରେ ସବୁଠୁ ଯୋଗ୍ୟ। ୨୦୧୨ରେ ତାଙ୍କୁ ୯.୮ କୋଟି ଟଙ୍କାରେ କିଣିଥିଲା ସିଏସ୍‌କେ। ସେହି ଅକ୍‌ଶନରେ ଜାଡେଜା ସବୁଠୁ ଦାମୀ ଖେଳାଳି ଥିଲେ। ତାଙ୍କୁ ଗତ ଅକ୍‌ଶନ ପୂର୍ବରୁ ସର୍ବାଧିକ ୧୬ କୋଟି ଟଙ୍କାରେ ରିଟେନ କରିଥିଲା ସିଏସ୍‌କେ।

Share