୫ବର୍ଷ ହେଲା ଚୁଆ ପାଣି ଉପରେ ଭରସା

ଖୋର୍ଦ୍ଧା ଅଫିସ,୧୭ା୪: ଗ୍ରାମାଞ୍ଚଳରେ ଟ୍ୟାପ୍‌ ଖୋଲିଲେ ଲୋକଙ୍କୁ ମିଳିବ ବିଶୁଦ୍ଧ ପାନୀୟଜଳ। ଏଥିଲାଗି ସରକାର କୋଟି କୋଟି ଟଙ୍କା ବ୍ୟୟରେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ତେବେ ସରକାରଙ୍କ ଏହି ନାରା ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକରେ ପ୍ରହସନ ପାଲଟିଛି। ଏହି ବ୍ଲକ ଅସରଳା ପଞ୍ଚାୟତ ଅନ୍ତର୍ଗତ ଓ୍ବାର୍ଡ ନମ୍ବର ୫ ଅନ୍ତର୍ଗତ ବ୍ରାହ୍ମଣ ସାହିରେ ଦୀର୍ଘବର୍ଷ ଧରି ପାନୀୟଜଳ ସମସ୍ୟା ଲାଗି ରହିଛି। ପାଇପ ଯୋଗେ ପାନୀୟଜଳ ଯୋଗାଣ ନେଇ ସ୍ଥାନୀୟ ଗ୍ରାମବାସୀ ବ୍ଲକ ପ୍ରଶାସନଠାରୁ ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଗୁହାରି ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ଗ୍ରୀଷ୍ମ ପ୍ରଭାବ ଲାଗି ରହିଛି। ଗୋଟିଏ ପଟେ ପ୍ରଚଣ୍ଡ ରୌଦ୍ରତାପ ଅନ୍ୟପଟେ ପାଣି ମୁନ୍ଦାଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ପାଣି ପାଇଁ ଗ୍ରାମବାସୀ ବିମଳାକ୍ଷୀ ପୋଖରୀ, ଚୁଆ ଉପରେ ନିର୍ଭର କରୁଛନ୍ତି।
ଯେ, ଏହି ଓ୍ବାର୍ଡକୁ ପାଇପଯୋଗେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ରହିଥିଲେ ମଧ୍ୟ ଲୋକଙ୍କ ଆବଶ୍ୟକତା ମେଣ୍ଟୁନାହିଁ। ଭୌଗଳିକ ଦୃଷ୍ଟିରୁ ଏହି ଗ୍ରାମ ଉଚ୍ଚା ସ୍ଥାନରେ ରହିଛି। ପାଇପ୍‌ ଯୋଗେ ପାଣି ଆସି ପାରୁନାହିଁ। ଯାହା ଆସୁଛି, ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। ଏହି ସମସ୍ୟା ଦୂର ଲାଗି ୨୦୧୭ ମସିହାରେ ବ୍ଲକ ପକ୍ଷରୁ ୪ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ଏକ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ହୋଇଥିଲା। ତେବେ ଏହି ପ୍ରସ୍ତାବକୁ ୫ବର୍ଷ ବିତିବାକୁ ଆସିଲାଣି। କିନ୍ତୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ। କିଛି ମାସ ପୂର୍ବେ ସାହି ଅମୃତେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଏକ ବୋରୱେଲ ଖୋଳାଯାଇଛି। ହେଲେ ଏହାକୁ କାର୍ଯ୍ୟକ୍ଷମ କରାଯାଇନାହିଁ। ଖରା ଦିନ ଆସିଲେ, ଏହି ଗ୍ରାମର ୪୦ରୁ ଊର୍ଦ୍ଧ୍ୱ ପରିବାର ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସ୍ଥାନୀୟ ଜଳଯୋଗାଣ ଅଧିକାରୀ ସୁନିଲ ପାଢୀ କୁହନ୍ତି, ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ଖୁବଶୀଘ୍ର ଲୋକଙ୍କ ପାନୀୟଜଳ ସମସ୍ୟା ଦୂର ହେବ ବୋଲି ସେ କହିଛନ୍ତି। ଅନ୍ୟପଟେ ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନର ଆନ୍ତରିତକତା ଅଭାବକୁ ସ୍ଥାନୀୟ ଗ୍ରାମବାସୀ ଦାୟୀ କରିଛନ୍ତି। ମେ’ ମାସରେ ପ୍ରଚଣ୍ଡ ଖରା ହେବା ସମ୍ଭାବନା ରହିଛି। ତୁରନ୍ତ ପ୍ରଶାସନ ପାନୀୟଜଳ ସମସ୍ୟା ସମାଧାନ ଲାଗି ଗ୍ରାମବାସୀ ଦାବି କରିଛନ୍ତି।