ନର୍ଦ୍ଦମାପାଣିରେ ମୂର୍ତ୍ତି ବିସର୍ଜନ

ଯୋଡା,୪ା୧୦(ମାନସ ମହାନ୍ତି)କେନ୍ଦୁଝର ଜିଲା ଯୋଡ଼ା ସହରର ବିଭିନ୍ନ ସ୍ଥାନରେ ହେଉଥିବା ମୃଣ୍ମୟୀ ମୂର୍ତ୍ତିର ବିସର୍ଜନ ପାଇଁ ସୁନା ନଦୀ ଅବବାହିକା ଆମ୍‌ ବାଗାନଠାରେ ଏକ କୃତ୍ରିମ ପୋଖରୀ କରାଯାଇଛି। ଏହି ପୋଖରୀରେ ପ୍ରତିବର୍ଷ ଠାକୁରଙ୍କ ମୂର୍ତ୍ତି ବିସର୍ଜନ କରାଯାଇଥାଏ। ତେବେ ଏହି ପୋଖରୀକୁ ସିଧାସଳଖ ନର୍ଦ୍ଦମା ପାଣି ପ୍ରବେଶ କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଆମ ବାଗାନ କଲୋନୀ ଉପର ମୁଣ୍ଡରୁ ଅବର୍ଜନା ପାଣି କୃତ୍ରିମ ପୋଖରୀକୁ ଆସିବା ସମ୍ପର୍କରେ ଅଭିଯୋଗ କରି ଭାଜପା ଯୋଡ଼ା ନଗର ସଭାପତି ସୁଶାନ୍ତ କୁମାର ବେବର୍ତ୍ତା ଓ ଉପସଭାପତି ପାର୍ଥ ସାରଥୀ ଷଡ଼ଙ୍ଗୀ କହିଛନ୍ତି ଯେ, ବିସର୍ଜନ ପାଇଁ ଖୋଳା ଯାଇଥିବା କୃତ୍ରିମ ପୋଖରୀରେ ନର୍ଦ୍ଦମା ପାଣି ମିଶିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଏହା ହିନ୍ଦୁମାନଙ୍କ ଆସ୍ଥା ଓ ବିଶ୍ୱାସ ପ୍ରତି କୁଠାରଘାତ ସଦୃଶ। ଏଥିପ୍ରତି ପୌରପାଳିକା ଦୃଷ୍ଟି ଦେବା ଉଚିତ। ନର୍ଦ୍ଦମା ପାଣି ନଦୀରେ ମିଶିବା ପୂର୍ବରୁ ଏକ ସ୍ଥାନରେ ଗାତ କରି ତାହାକୁ ବିଶୋଧନ ପ୍ରକ୍ରିୟା ପରେ ନଦୀରେ ଛାଡ଼ିବା ପାଇଁ ପୌରପାଳିକା ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଭାଜପା ନେତା ଦ୍ୱୟ ଦାବି କରିଛନ୍ତି। ଏ ନେଇ ପୌରପାଳିକା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତଙ୍କୁ ପଚାରିବାରୁ ମୂର୍ତ୍ତି ବିସର୍ଜନ ପାଇଁ ନିର୍ମିତ କୃତ୍ରିମ ପୋଖରୀକୁ ବେଳେବେଳେ ସଫା କରାଯାଉଛି। ତେବେ ବର୍ଷା ଦିନ ଥିବାରୁ ବର୍ତ୍ତମାନ ସଫା କରାଯାଇ ପାରୁନାହିଁ। ଖରା ଦିନ ଆସିଲେ ତାହାର ପୁନରୁଦ୍ଧାର କରାଯାଇ ଡ୍ରେନ ପାଣିକୁ ଅନ୍ୟତ୍ର ଛାଡ଼ିବା ଲାଗି ବ୍ୟବସ୍ଥା କରାଯିବ ବୋଲି କହଛନ୍ତି। ଉକ୍ତ ପୋଖରୀରେ ଡ୍ରେନ ପାଣି ମିଶୁଥିବାରୁ ପରିବେଶ ଦୁର୍ଗନ୍ଧମୟ ହେବା ସହିତ ମଶା ବଂଶ ମଧ୍ୟ ବୃଦ୍ଧି ପାଉଛନ୍ତି। ଏଣୁ ଶୀଘ୍ର ପ୍ରତିକାର ବ୍ୟବସ୍ଥା କରି ପୋଖରୀକୁ ସଫା କରିବା ପାଇଁ ୱାର୍ଡନଂ.୫ର ଜନସାଧାରଣ ଦାବି କରିଛନ୍ତି। ଯଥାଶୀଘ୍ର ପୋଖରୀର ପୁନରୁଦ୍ଧାର କରିବା ପାଇଁ ଯୋଡ଼ା ବିକାଶ ପରିଷଦ ସଭାପତି ନିରଞ୍ଜନ ବହିଦାର ଦାବି କହିଛନ୍ତି।