ରାଉରକେଲାର ୬ ୟୁପିଏଚ୍‌ସିକୁ ଆଇଏସ୍‌ଓ ପ୍ରମାଣପତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ): ଚଳିତ ବର୍ଷ ସୁନ୍ଦରଗଡ଼ ଜିଲାର ରାଉରକେଲା ମହାନଗର ନିଗମର ୬ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ୟୁପିଏଚ୍‌ସି)କୁ ଆଇଏସ୍‌ଓ ପ୍ରମାଣପତ୍ର ମିଳିଛି। ସେହି ୟୁପିଏଚ୍‌ସିଗୁଡ଼ିକ ହେଲା କୋଏଲ ନଗର, ସେକ୍ଟର-୬, ତିଲକ ନଗର, ଛେଣ୍ଡ କଲୋନୀ, ବାଲୁଘାଟର ୟୁଏଫ୍‌ଡବ୍ଲ୍ୟୁସି ଓ ବାସନ୍ତୀ କଲୋନୀ ନିକଟ ଡିଏଭିଏମ୍‌ଏସି। ଭଲ ପରିଚାଳନା ସହିତ ସାଧାରଣ କ୍ଲିନିକାଲ୍‌ ସେବା, ସ୍ବତନ୍ତ୍ର ସେବା, ନିରାମୟ, ପରିବାର ଯୋଜନା, ପ୍ରତିରୋଧକ ବ୍ୟବସ୍ଥା, ପ୍ରସାରଣ ସେବା, ଯୋଗ ଆଦି ପ୍ରଦାନ କ୍ଷେତ୍ରରେ ଆଇଏସ୍‌ଓ ୯୦୦୧:୨୦୧୫ ପ୍ରମାଣପତ୍ର ମିଳିଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ମହାନଗର ନିଗମକୁ ପ୍ରଶଂସା କରିଛନ୍ତି। କୋଭିଡ୍‌-୧୯ ଆହ୍ବାନ ସତ୍ତ୍ୱେ ଏହି ପରିବର୍ତ୍ତନକାରୀ ଉଦ୍ୟମ ତୃଣମୂଳସ୍ତରରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବାକୁ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ୨୦୧୯-୨୦ରେ ଓଡ଼ିଶାର ୪ଟି ୟୁପିଏଚ୍‌ସିକୁ ଏନ୍‌କ୍ୟୁଏସ୍‌ ପ୍ରମାଣପତ୍ର, ୧୩ ୟୁପିଏଚ୍‌ସିକୁ ଆଇଏସ୍‌ଓ ପ୍ରମାଣପତ୍ର, ୬୬ଟି ୟୁପିଏଚ୍‌ସି ଓ ସିଏଚ୍‌ସିକୁ କାୟାକଳ୍ପ ପୁରସ୍କାର ମିଳିଛି। ଏହା ଜାତୀୟ ସହଞ୍ଚଳ ସ୍ବାସ୍ଥ୍ୟ ମିଶନ ଅଧୀନରେ ଥିବା ‘କାୟାକଳ୍ପ’ର ସର୍ବାଧିକ ସଫଳତା।