ମୁମ୍ବାଇ: ବଲିଉଡର ଦିଗ୍ଗଜ ଅଭିନେତା ନାନା ପାଟେକରଙ୍କ ମୃତ୍ୟୁକୁ ନେଇ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଅନେକ ପ୍ରଶ୍ନ ଉଠାଇଛନ୍ତି। ସେ ଦାବି କରିଛନ୍ତି ଯେ ନାନା ପାଟେକର ଜୀବିତ ଅଛନ୍ତି। ଏଥିସହ ତାଙ୍କ ମୃତଦେହକୁ କେହି ଦେଖିନଥିବା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। ଅଭିନେତାଙ୍କ ଅନ୍ତିମ ସଂସ୍କାରର ସମୟ ଏବଂ ପ୍ରାର୍ଥନା ସଭା ଆୟୋଜନ ନହେବାକୁ ନେଇ ମଧ୍ୟ ତନୁଶ୍ରୀ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଏହି ମାମଲାରେ ଡିଏନଏ ପରୀକ୍ଷା କରାଇବାକୁ ମଧ୍ୟ ସେ ଦାବି କରିଛନ୍ତି।
ସୋମବାର ରାତିରେ ଇନଷ୍ଟାଗ୍ରାମ ଲାଇଭ ସମୟରେ ତନୁଶ୍ରୀ ଦତ୍ତା ନାନା ପାଟେକରଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠାଇଥିବା ଦାବି କରାଯାଇଛି। ଏତେ ବଡ଼ କଳାକାରଙ୍କ ଶେଷ ଦର୍ଶନ କରିବାର ସୁଯୋଗ ଲୋକଙ୍କୁ କାହିଁକି ମିଳିଲା ନାହିଁ ଏବଂ ରାତି ଅଧରେ ଏତେ ତରବରିଆ ଭାବେ କାହିଁକି ଅନ୍ତିମ ସଂସ୍କାର କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ କହିଥିବା ଅନୁଯାୟୀ, ବଲିଉଡ ଇଣ୍ଡଷ୍ଟ୍ରି ଏବଂ ମିଡିଆର କେହି ନାନା ପାଟେକରଙ୍କ ମୃତଦେହ ଦେଖିନାହାନ୍ତି। ଏତେ ତରବର କାହିଁକି ଥିଲା ଯେ ରାତି ଅଧରେ ଅନ୍ତିମ ସଂସ୍କାର କରାଗଲା? ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ସାଧାରଣତଃ ସୂର୍ଯ୍ୟାସ୍ତ ପରେ ଅନ୍ତିମ ସଂସ୍କାର କରାଯାଏ ନାହିଁ। କିନ୍ତୁ ତାଙ୍କର ଅନ୍ତିମ ସଂସ୍କାର ରାତି ୧୧ଟା ୨୮ ମିନିଟ୍ରେ କରାଯାଇଥିବା କୁହାଯାଉଛି। ଏତେ ରାତିରେ ଅନ୍ତିମ ସଂସ୍କାର କରିବାର ଏତେ ତରବର କାହିଁକି ଥିଲା? ତାଙ୍କ ପରିବାର ଲୋକ ମଧ୍ୟ କ’ଣ ତାଙ୍କ ମୁହଁ ଠିକ୍ ଭାବେ ଦେଖିଥିଲେ?
ତନୁଶ୍ରୀ ଏହା ସହିତ ନାନା ପାଟେକରଙ୍କ ଭଳି ଜଣେ ବଡ଼ କଳାକାରଙ୍କ ଦେହାନ୍ତ ପରେ ପ୍ରାର୍ଥନା ସଭା କାହିଁକି ଆୟୋଜନ କରାଯାଇନଥିଲା ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ଏତେ ବଡ଼ ଏବଂ ମହାନ ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା ସଭା ହେବା ଉଚିତ୍ ଥିଲା, ଯେଉଁଠାରେ ବଲିଉଡ କଳାକାର ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଦେଇପାରିଥାନ୍ତେ ଏବଂ ଶେଷ ଦର୍ଶନ କରିପାରିଥାନ୍ତେ।
ତନୁଶ୍ରୀ ଆହୁରି କହିଥିବା ଦାବି କରାଯାଇଛି ଯେ, ଲୋକେ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। କିନ୍ତୁ ସେମାନେ ପ୍ରକୃତରେ ମୃତଦେହ ଦେଖିଥିଲେ କି? ମୁହଁ ଘୋଡ଼ାଇ ରଖାଯାଇଥିଲା। ଗାଁର ଲୋକମାନେ ହୁଏତ ଏଭଳି ପ୍ରଶ୍ନ ନକରିପାରନ୍ତି, କିନ୍ତୁ ଅନ୍ୟମାନେ ନିଶ୍ଚୟ ପ୍ରଶ୍ନ କରିବେ। ଶେଷରେ କାହାର ଅନ୍ତିମ ସଂସ୍କାର କରାଗଲା?
ନାନା ପାଟେକରଙ୍କୁ ହସ୍ପିଟାଲ ନିଆଯିବା ସମ୍ପର୍କିତ କୌଣସି ଫଟୋ କିମ୍ବା ଭିଡିଓ ସାମ୍ନାକୁ ନଆସିବାକୁ ନେଇ ମଧ୍ୟ ତନୁଶ୍ରୀ ପ୍ରଶ୍ନ ଉଠାଇଛନ୍ତି। ନିଜର ଏକ ଦୁର୍ଘଟଣାର ଉଦାହରଣ ଦେଇ ସେ କହିଛନ୍ତି ଯେ, ସେହି ସମୟରେ ତାଙ୍କ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। କିନ୍ତୁ ନାନା ପାଟେକରଙ୍କ ମାମଲାରେ ସେଭଳି କିଛି ଦେଖିବାକୁ ମିଳିନାହିଁ ବୋଲି ସେ ଦାବି କରିଛନ୍ତି।
ତାଙ୍କ କହିବା ଅନୁଯାୟୀ, ଯେତେବେଳେ ମୋର ଦୁର୍ଘଟଣା ହୋଇଥିଲା, ସେତେବେଳେ ମୋର ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଥିଲା। କିନ୍ତୁ ଏଠାରେ ନାନା ପାଟେକରଙ୍କର ଗୋଟିଏ ବି ଭିଡିଓ ସାମ୍ନାକୁ ଆସିନାହିଁ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ଏବଂ ପୋଷ୍ଟମର୍ଟମ ମଧ୍ୟ ହୋଇଥିଲା।