କାମରେ ଲାଗୁନି ଉଠା ଜଳସେଚନ ପଏଣ୍ଟ

ଚମ୍ପୁଆ,୨୩ା୭(ଡି.ଏନ.ଏ.)- ଚାଷୀ ଓ ଚାଷର ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପମାନ ଗ୍ରହଣ କରୁଛନ୍ତି। ଚାଷ ପାଇଁ ବିହନଠାରୁ ଆରମ୍ଭ କରି ସାର ମଧ୍ୟ ସବ୍‌ସିଡିରେ ପ୍ରଦାନ କରାଯାଉଛି। ଚାଷ ପାଇଁ ପ୍ରମୁଖ ଆବଶ୍ୟକ ଜଳ ନିମିତ୍ତ ପାଣି ପଞ୍ଚାୟତମାନ ଗଠନ କରାଯାଇ ଜଳସେଚନ ଲାଗି ପ୍ରାଥମିକତା ପ୍ରଦାନ କରାଯାଇଛି। ମାତ୍ର କେତେକ ସ୍ଥାନରେ ଏହା ସଫଳ ହୋଇ ପାରୁନାହିଁ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ ଜାମୁଦଲକ ପଞ୍ଚାୟତର ସାତହଳିଆ ଗ୍ରାମରେ। ଏଠାରେ ଥିବା ଉଠା ଜଳସେଚନ ପଏଣ୍ଟ ଗୁଡିକ ଚାଷୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇ ପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କେତେବେଳେ ଚାଷୀମାନେ ବିଦ୍ୟୁତ୍‌ ଦେୟ କ୍ଷେତ୍ରରେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତ କେତେବେଳେ ଯନ୍ତ୍ରପାତିଜନିତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଶୁଣିବାକୁ କେହିନାହାନ୍ତି।
ଏହି ଗ୍ରାମରେ ୮ଟି ଉଠା ଜଳସେଚନ ପଏଣ୍ଟ ରହିଥିବା ବେଳେ ୭ନଂ. ଓ ୮ନଂ. ପଏଣ୍ଟ ୨ଟି ନିର୍ମାଣ ପରେ କାର୍ଯ୍ୟକ୍ରମ ହୋଇ ନ ଥିବା ପୂର୍ବତନ ପାଣି ପଞ୍ଚାୟତ ସଭାପତି ମନୋଜ ଚାତାର କହିଛନ୍ତି। ୭ନଂ.ଓ ୮ନଂ. ଉଠା ଜଳସେଚନ ପଏଣ୍ଟ ୨ଟି ପ୍ରାୟ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି। ପ୍ରାୟ ୫୫ ଏକର ଜମିକୁ ପାଣି ମାଡିବାର ଲକ୍ଷ୍ୟରେ ଏହା ନିର୍ମାଣ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ୧ ଏକର ଜମିକୁ ପାଣି ମାଡ଼ି ପାରିନାହିଁ। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ପାଇପ୍‌ ବିଛାଉଥିବା ବେଳେ ଠିକାଦାର ମେଶିନ ବ୍ୟବହାର ଓ ପୋତିବା ବେଳେ ମେଶିନ ବ୍ୟବହାର ହେତୁ ପାଣି ପାଇପ୍‌ଗୁଡିକ ଫାଟି ଯାଇ ଜାମ୍‌ ହୋଇଯାଇଥିବାରୁ ଏହି ପାଣି ମାଡ଼ି ପାରୁନାହିଁ। ଏଥିପ୍ରତି ଚାଷୀମାନେ ପୂର୍ବରୁ ବିଭାଗକୁ ସୂଚନା ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ଚଳିତ ଋତୁରେ ସ୍ବାଭାବିକ ବର୍ଷା ନ ହେବା ଫଳରେ ତଥା ଏହି ଉଠା ଜଳସେଚନ ପଏଣ୍ଟ କାମ କରୁ ନ ଥିବା ହେତୁ ଚାଷୀଙ୍କର ଅନେକ ଜମି ପଡ଼ିଆ ପଡିବାର ସମ୍ଭାବନା ଦେଖାଦେଇଛି। ଏ ନେଇ ବିଭାଗୀୟ ଆସିଷ୍ଟାଣ୍ଟ ଇଞ୍ଜିନିୟର ରମେଶ ଚନ୍ଦ୍ର ନାଏକଙ୍କୁ ପଚାରିବାରୁ ତୁରନ୍ତ ଏଥିପ୍ରତି ପଦକ୍ଷେପ ନିଆଯିବ। ଚାଷ ଜମିକୁ ପାଣି ଯୋଗାଇବାର ସମସ୍ତ ବ୍ୟବସ୍ଥା ଲାଗି ପାଣି ପଞ୍ଚାୟତ ସହ ଆଲୋଚନା କରି ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।