ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ସାର, କୀଟନାଶକ ବିକ୍ରିରେ ଅନିୟମିତତା ନେଇ ଜିଲା କୃଷି ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି କ୍ରମରେ କୃଷି ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇ ବିଭିନ୍ନ ସାର, କୀଟନାଶକ ବିକ୍ରିରେ ଅନିୟମିତତା ଧରାପଡ଼ିବା ପରେ ୮ ଲାଇସେନ୍ସପ୍ରାପ୍ତ ସାର ଏବଂ କୀଟନାଶକ ରିଟେଲର(ଦୋକାନୀ)ଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି। ସେଥିମଧ୍ୟରେ ୭ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତା ରିଟେଲର ଏବଂ ଜଣେ କୀଟନାଶକ ବିକ୍ରେତା ରିଟେଲର ଅନ୍ତର୍ଭୁକ୍ତ। ସମ୍ପୃକ୍ତ ସାର ବିକ୍ରେତା ରିଟେଲରମାନେ ହେଲେ ଅଡ଼ଗାଁର ସାହୁ ପେଷ୍ଟିସାଇଡସ୍, ଚକରକେନ୍ଦର ଏସ୍.ଏସ୍ ଟ୍ରେଡର୍ସ, ନୁନିଆଁ ଜାମପାଲିର ଗୋଦାବର୍ତ୍ତୀ ଶ୍ରୀନିବାସ ରାଓ ଫର୍ଟିଲାଇଜର୍ସ, ଜମୁର୍ଡ଼ାର ସୌରଭ ଟ୍ରେଡର୍ସ, ପାଇକମାଳ ବ୍ଲକର ମିଠାପାଲିସ୍ଥିତ କୃଷକ ସେବାକେନ୍ଦ୍ର, ମାଣ୍ଡୋସିଲର ପ୍ରଧାନ ଏଗ୍ରୋ ସର୍ଭିସ ଏବଂ ଗାଇସିଲେଟ ବ୍ଲକର ଗାଇସିଲେଟସ୍ଥିତ ପ୍ରଧାନ ଫର୍ଟିଲାଇଜର। ସେହିପରି ବରଗଡ଼ସ୍ଥିତ କୀଟନାଶକ ବିକ୍ରେତା ପାରସ୍ ଟ୍ରେଡର୍ସର ଲାଇସେନ୍ସକୁ ମଧ୍ୟ ରଦ୍ଦ କରି ଦିଆଯାଇଛି। ସାର, କୀଟନାଶକ ବିକ୍ରି ପାଇଁ ରହିଥିବା ସରକାରୀ ଗାଇଡ୍ଲାଇନ୍ ଉଲ୍ଲଂଘନ କରୁଥିବା ଜଣାପଡ଼ିବା ପରେ ସମ୍ପୃକ୍ତ ରିଟେଲରମାନଙ୍କ ବିରୋଧରେ ସେଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜିଲା କୃଷି ବିଭାଗ ତରଫରୁ ସୂଚନା ମିଳିଛି।
ଏଠାରେ ଉଲ୍ଲେଖଯୋଗ୍ୟ, ସରକାରୀ ଧାର୍ଯ୍ୟଦରରେ ସାର ବିକ୍ରି ପାଇଁ ଜିଲାରେ ଲାଇସେନ୍ସପ୍ରାପ୍ତ ରିଟେଲର୍, ହୋଲସେଲର ଏବଂ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକୁ ଦାୟିତ୍ୱ ଦିଆଯାଇଛି। ତେବେ କେତେକ ରିଟେଲର ସରକାରୀ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ସାର ଏବଂ କୀଟନାଶକ ବିକ୍ରି କରୁଥିବା ଅଭିଯୋଗ ହୋଇ ଆସୁଛି। ୟୁରିଆ ସାର ପ୍ୟାକେଟ୍(୪୫କି.ଗ୍ରା) ପ୍ରତି ୨୬୬ଟଙ୍କା ୫୦ପଇସା ରହିଛି। ମାତ୍ର ଏହାକୁ ୩୫୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସେହିପରି ଡିଏପି ସାରକୁ ମଧ୍ୟ ଅନୁରୂପଭାବେ ଚଢ଼ାଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ସରକାରୀ ଧାର୍ଯ୍ୟଦର ମୁତାବକ ଡିଏପି ସାର ପ୍ୟାକେଟ୍(୫୦କି.ଗ୍ରା) ପ୍ରତି ୧୩୫୦ଟଙ୍କା ଅଟେ। କିନ୍ତୁ ଏହି ସାରକୁ ମଧ୍ୟ ଲାଇସେନ୍ସପ୍ରାପ୍ତ ରିଟେଲର, ହୋଲସେଲରମାନେ ୧୫୫୦ଟଙ୍କାରୁ ୧୬୦୦ଟଙ୍କାରେ ବିକ୍ରି କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଜିଲାରେ କୀଟନାଶକ ବିକ୍ରି କ୍ଷେତ୍ରରେ ମଧ୍ୟ କେତେକ ରିଟେଲର ଏଭଳି ଅନିୟମିତତା କରୁଥିବା ଅଭିଯୋଗ ହୋଇ ଆସୁଛି। ଏଭଳି ଅଭିଯୋଗ ପାଇବା ପରେ ଜିଲା କୃଷି ବିଭାଗ ପକ୍ଷରୁ ବିଭିନ୍ନ ସାର, କୀଟନାଶକ ଦୋକାନରେ ଧରପଗଡ଼ ଚାଲିଛି। ପ୍ରକାଶଥାଉ କି,ବରଗଡ଼ ଜିଲାରେ ସାର କଳାବଜାର ନେଇ ଗତ ଜୁଲାଇ ମାସ ୧୧ ତାରିଖ ଧରିତ୍ରୀରେ ପ୍ରଥମେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା।


