ଲୋଇସିଂହା,୨୪ା୧(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ୍ ସାଲେଭାଟ ଅଙ୍ଗ ମୁଖ୍ୟକେନାଲ ଓ ହରଭଙ୍ଗା ମାଇନର କେନାଲର ଉନ୍ନତୀକରଣ କାର୍ଯ୍ୟ ଜାରି ରହିଛି। ହେଲେ କେନାଲ କାମରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। କେନାଲ କାନ୍ଥ ଓ ତଳ କଂକ୍ରିଟ୍କରଣର କାମ ସପ୍ତାହେ ନ ପୂରୁଣୁ କଂକ୍ରିଟ୍ରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ଫଳରେ ଏହାର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ଉଠିଛି।
ସୂଚନା ଅନୁଯାୟୀ, ଜଳସେଚନ ବିଭାଗ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରୁ ଗାଇଖାଇ ଅଙ୍ଗ ମୁଖ୍ୟ କେନାଲ ଓ ହରଭଙ୍ଗା ମାଇନର କେନାଲର ଉନ୍ନତୀକରଣ କାମ ହାତକୁ ନିଆଯାଇଛି। ଗାଇଖାଇରୁ ବାହାରିଥିବା ମୁଖ୍ୟ କେନାଲ କାମ ସରିଯାଇଛି। ଏବେ ଆଗଲପୁର ବ୍ଲକ୍ ହରଭଙ୍ଗା ମାଇନର କେନାଲରୁ ଡୁମେରପାଲି ପର୍ଯ୍ୟନ୍ତ ପ୍ରାୟ ୫ କିମି କେନାଲ କାମ ଚାଲିଛି। ଏହି କାମ ପାଇଁ ୮୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ହରଭଙ୍ଗା ମାଇନର କେନାଲରେ ସଂଯୁକ୍ତ ଥିବା ଲୋଇସିଂହା ବ୍ଲକ୍ ବାଦିବାହାଲ ପଞ୍ଚାୟତର ବିଶାଳପାଲି ଓ କଠାରପାଲି ଅଞ୍ଚଳରେ ବିଭାଗ ପକ୍ଷରୁ ସପ୍ତାହେ ପୂର୍ବରୁ କେନାଲ କାମ କରାଯାଇଛି। କେନାଲ କାନ୍ଥରୁ ହାଲୁକା ମାଟି ନ ହଟାଇ ତାହା ଉପରେ ପଲିଥିନ ପକାଇ କଂକ୍ରିଟକରଣ କରିଦିଆଯାଉଛି। ସେହିପରି ତଳ କଂକ୍ରିଟ୍କରଣବେଳେ ମଧ୍ୟ ମାଟି ସମାନତା ନ କରି ସମାନ ଢଙ୍ଗରେ କଂକ୍ରିଟକରଣ କରାଯାଉଛି। ଜଳସେଚନ ବେଳେ ତଳ କଂକ୍ରିଟକରଣ ଯେପରି କ୍ଷତି ନ ହେବ ସେଥିପାଇଁ କଂକ୍ରିଟ ତଳ ଏକ ପାଇପ ଓ ଭାଲ୍ଭ ବସାଇବା କୁଆଡେ ନିୟମ ରହିଛି ା ବକଟି ଅଞ୍ଚଳରେ ପଥୁରିଆ ମାଟିକୁ ହଟାଇ ସମତଳ କରି ପାଇପ ଓ ଭାଲଭ ବସାଯାଇଛି ା କିନ୍ତୁ ବିଶାଳପାଲି ଓ କଠାରପାଲି ଅଞ୍ଚଳରେ ପାଇପ ନ ବସାଇ ଉପର ଠାଉରିଆ ଭାବେ ଦୂରତା ରକ୍ଷା କରି ଭାଲ୍ଭଗୁଡିକୁ ଥୁଆଯାଇଛି। ସେହି ଭାଲ୍ଭ ମଧ୍ୟ କଂକ୍ରିଟ୍ରେ ଜାମ୍ ହୋଇ ନ ଥିବାରୁ ତାହା ଖୋଲା ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏହି ସବୁ ଅନିୟମିତତା ଓ କଂକ୍ରିଟକରଣର ସପ୍ତାହେ ନ ପୁରୁଣୁ କଂକ୍ରିଟ୍ରେ ଫାଟକୁ ନେଇ ଚାଷୀ ଏବଂ ଜନସାଧାରଣରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ପ୍ରମୋଦ ବାଗ୍ କହିଛନ୍ତି, ମୁଁ ବଲାଙ୍ଗୀର ଜିଲାମୁଖ୍ୟାଳୟକୁ ବଦଳି ହୋଇଛି। ଏବେ ଛୁଟିରେ ଅଛି। ଫେରିଲା ପରେ ପଚରାଉଚରା ଓ କ୍ଷେତ୍ର ପରିଦର୍ଶନ କରି ଜଣାଇବି।
Dharitri – Odisha’s No.1 Odia Daily

