ମାତ୍ର ୩୫ ପଇସାରେ ୧୦ ଲକ୍ଷର ବୀମା କଭର୍‌! କାହାକୁ ମିଳିବ ଏହି ଲାଭ, ଜାଣନ୍ତୁ ରେଳବାଇର ନିୟମ

ନୂଆଦିଲ୍ଲୀ, ୧୨।୧୦: ଯଦି ଆପଣ ନିୟମିତ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଅନଲାଇନରେ ଟିକେଟ ବୁକ କରୁଛନ୍ତି, ତେବେ ଟିକେଟ ବୁକିଂ ସମୟରେ ମିଳୁଥିବା ରେଳ ଯାତ୍ରା ବୀମା ବିକଳ୍ପ ପ୍ରତି ଧ୍ୟାନ ଦେବା ଜରୁରୀ। IRCTCରେ ଅନଲାଇନ ଟିକେଟ ବୁକ କରିବା ସମୟରେ ଯାତ୍ରୀମାନେ ଅତି କମ ପ୍ରିମିୟମରେ ଯାତ୍ରା ବୀମା ନେବାର ସୁଯୋଗ ପାଇଥାନ୍ତି। ଏହାର ପ୍ରିମିୟମ ୧ ଟଙ୍କାରୁ କମ ହୋଇପାରେ। ତେବେ ବୀମା ପଲିସିର ନିୟମ ଓ ସର୍ତ୍ତ ଅନୁଯାୟୀ, ଦୁର୍ଘଟଣାରେ ମୃତ୍ୟୁ କିମ୍ବା ସ୍ଥାୟୀ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗତା ଭଳି ପରିସ୍ଥିତିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର୍‌ ମିଳିପାରେ।
ଏହି ବୀମା ରେଳ ଯାତ୍ରା ସମୟରେ ଘଟୁଥିବା ନିର୍ଦ୍ଦିଷ୍ଟ ଦୁର୍ଘଟଣାରୁ ସୁରକ୍ଷା ଦେଇଥାଏ। କିନ୍ତୁ ଏହା ସବୁ ପ୍ରକାର ରୋଗ କିମ୍ବା ଦୁର୍ଘଟଣାକୁ କଭର୍‌ କରେ ନାହିଁ। ତେଣୁ ବୀମା ନେବା ପୂର୍ବରୁ କେଉଁ ପରିସ୍ଥିତିରେ ଏହାର ଲାଭ ମିଳିବ ଏବଂ କେଉଁ କ୍ଷେତ୍ରରେ ଦାବି ଖାରଜ ହୋଇପାରେ, ତାହା ଜାଣିବା ଆବଶ୍ୟକ।

ରେଳ ଟିକେଟ ବୁକିଂ ସମୟରେ ମିଳୁଥିବା ଯାତ୍ରା ବୀମା ଏକ ଇଚ୍ଛାଧୀନ ସୁବିଧା। ବୀମା ପଲିସିର ସର୍ତ୍ତ ଅନୁଯାୟୀ, ବିଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ରାଶିର ସହାୟତା ମିଳିପାରେ।

ଦୁର୍ଘଟଣାରେ ମୃତ୍ୟୁ: ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ।
ସ୍ଥାୟୀ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗତା: ସର୍ବାଧିକ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ।
ସ୍ଥାୟୀ ଆଂଶିକ ଦିବ୍ୟାଙ୍ଗତା: ସର୍ବାଧିକ ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ।
ହସ୍ପିଟାଲରେ ଚିକିତ୍ସା: ଯୋଗ୍ୟ ଦୁର୍ଘଟଣାଜନିତ ଆଘାତ କ୍ଷେତ୍ରରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ।
ମୃତଦେହ ପରିବହନ: ଏଥିପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିପାରେ।

କେଉଁ ପରିସ୍ଥିତିରେ ମିଳିବ ବୀମା ଟଙ୍କା?

-ନିର୍ଦ୍ଦିଷ୍ଟ ନିୟମ ଅନୁଯାୟୀ, ନିମ୍ନଲିଖିତ ପରିସ୍ଥିତିରେ ବୀମା ଦାବି କରାଯାଇପାରେ।
-ଟ୍ରେନରେ ଦୁର୍ଘଟଣା ଘଟିଲେ କିମ୍ବା ଟ୍ରେନ ଲାଇନ୍ଚ୍ୟୁତ ହେବା ଯୋଗୁଁ ଯାତ୍ରୀଙ୍କ କ୍ଷତି ହେଲେ।
-ବୀମାର ସର୍ତ୍ତ ଅନୁଯାୟୀ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବା ସମୟରେ ଦୁର୍ଘଟଣା ଘଟିଲେ।
-ଦୁର୍ଘଟଣା ଯୋଗୁ ସ୍ଥାୟୀ ଦିବ୍ୟାଙ୍ଗତା ହେଲେ।
-ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଏବଂ ଚିକିତ୍ସା ଖର୍ଚ୍ଚ ପଲିସି ଅଧୀନରେ ଆସୁଥିଲେ।
-ଦୁର୍ଘଟଣାରେ ମୃତ୍ୟୁ ହେଲେ, ପଲିସିର ନିୟମ ଅନୁଯାୟୀ ନୋମିନି ବୀମା ରାଶି ପାଇପାରନ୍ତି।

ସବୁ କ୍ଷତି ପାଇଁ ରେଳ ଯାତ୍ରା ବୀମାରୁ ଟଙ୍କା ମିଳେ ନାହିଁ। କେତେକ କ୍ଷେତ୍ରରେ ବୀମା ଦାବି ଗ୍ରହଣୀୟ ହୋଇନପାରେ।

-ସାଧାରଣ ରୋଗ ଯୋଗୁଁ ମୃତ୍ୟୁ ହେଲେ।
-ପୂର୍ବରୁ ଥିବା ରୋଗର ଚିକିତ୍ସା ଖର୍ଚ୍ଚ ପାଇଁ।
-ଟ୍ରେନ ଛାଡ଼ିଦେବା କିମ୍ବା ଟ୍ରେନ ବିଳମ୍ବ ହେବା ଯୋଗୁଁ।
-ରେଳ ଯାତ୍ରା ସହ ସମ୍ପର୍କ ନଥିବା ଦୁର୍ଘଟଣା ପାଇଁ।
-ବୀମା ପଲିସିର ସର୍ତ୍ତରେ ସାମିଲ ନଥିବା ଘଟଣା ପାଇଁ।

 

Dharitri – Odisha’s No.1 Odia Daily

Share