ନୂଆଦିଲ୍ଲୀ,୧୪।୧: ଆମେରିକା ଏବଂ ଇରାନ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଇରାନରେ ଚାଲିଥିବା ସରକାର ବିରୋଧୀ ପ୍ରଦର୍ଶନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ ପରେ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଇରାନ ବିଦେଶ ମନ୍ତ୍ରୀ ଏବଂ ଆମେରିକାର ସ୍ୱତନ୍ତ୍ର ସଚିବଙ୍କ ମଧ୍ୟରେ ହେବାକୁ ଥିବା ସମସ୍ତ ଆଲୋଚନାକୁ ବାତିଲ କରାଯାଇଛି।
ଟ୍ରମ୍ପ ସୋସିଆଲ ମିଡିଆରେ ଇରାନର ପ୍ରଦର୍ଶନକାରୀଙ୍କୁ ସମର୍ଥନ ଜଣାଇ କହିଛନ୍ତି, “ନିଜର ପ୍ରଦର୍ଶନ ଜାରି ରଖ, ସାହାଯ୍ୟ ପହଞ୍ଚିବାକୁ ଯାଉଛି।” ସେ ଏହାକୁ ‘Make Iran Great Again’ (MIGA) ବୋଲି ସମ୍ବୋଧନ କରିଛନ୍ତି।
ଟ୍ରମ୍ପ କହିଛନ୍ତି ଯେ ଯେଉଁମାନେ ନିରୀହ ପ୍ରଦର୍ଶନକାରୀଙ୍କୁ ହତ୍ୟା କରୁଛନ୍ତି, ସେମାନଙ୍କ ନାମ ତାଲିକାଭୁକ୍ତ କରାଯାଉ, ସେମାନଙ୍କୁ ଏହାର ଭାରି ମୂଲ୍ୟ ଦେବାକୁ ପଡ଼ିବ।ଯେପର୍ଯ୍ୟନ୍ତ ପ୍ରଦର୍ଶନକାରୀଙ୍କ ହତ୍ୟା ବନ୍ଦ ନହୋଇଛି, ସେପର୍ଯ୍ୟନ୍ତ ଇରାନ ସହ କୌଣସି ଆଲୋଚନା ହେବ ନାହିଁ ବୋଲି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି।
ସେପଟେ ଇରାନ ପକ୍ଷରୁ କୁହାଯାଇଛି ଯେ ଯଦି ଆମେରିକା କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ମଧ୍ୟପ୍ରାଚ୍ୟରେ ଥିବା ସମସ୍ତ ଆମେରିକୀୟ ସାମରିକ ଘାଟିକୁ ଇରାନ ଟାର୍ଗେଟ୍ କରିବ। ଏପରିକି ଆମେରିକାକୁ ସାହାଯ୍ୟ କରୁଥିବା ପଡ଼ୋଶୀ ଦେଶଗୁଡ଼ିକୁ ମଧ୍ୟ ଇରାନ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି। ସୁରକ୍ଷା ଦୃଷ୍ଟିରୁ କାତାରରେ ଥିବା ସର୍ବବୃହତ ଆମେରିକୀୟ ଏୟାରବେସ୍ ‘ଅଲ୍ ଉଦେଦ୍’ରୁ କିଛି କର୍ମଚାରୀଙ୍କୁ ହଟାଇ ଦିଆଯାଇଥିବା ଖବର ମିଳିଛି।
ପରିସ୍ଥିତିର ଗମ୍ଭୀରତାକୁ ଦେଖି ଭାରତର ବୈଦେଶିକ ମନ୍ତ୍ରଣାଳୟ ବୁଧବାର ଏକ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରିଛି। ଇରାନରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ତୁରନ୍ତ ସେହି ଦେଶ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୌଣସି ଭାରତୀୟଙ୍କୁ ଇରାନ ନଯିବାକୁ କୁହାଯାଇଛି। ସେଠାରେ ଥିବା ଭାରତୀୟମାନେ କୌଣସି ରାଲି କିମ୍ବା ପ୍ରଦର୍ଶନ ସ୍ଥଳକୁ ନଯିବା ସହ ଦୂତାବାସ ସହ ନିୟମିତ ଯୋଗାଯୋଗରେ ରହିବାକୁ କୁହାଯାଇଛି।
ଇରାନରେ ଚାଲିଥିବା ଏହି ହିଂସାରେ ଏପର୍ଯ୍ୟନ୍ତ ପ୍ରାୟ ୨,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।


