ଆଇପିଏଲ୍‌ ବେଟିଂ: ୪ ଗିରଫ, ୭.୬ ଲକ୍ଷ ଜବତ

ଆସିକା,୩୦ା୫(ଡି.ଏନ୍‌.ଏ.)-ଆଇପିଏଲ୍‌ ଫାଇନାଲ ମ୍ୟାଚ ଲାଗି ରବିବାର ବେଟିଂ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆସିକା ଏନ୍‌ଏସି ସୁନାମ୍ବ ସାହିର ସାହିଲ ଗୌଡ, ଶୁଭମ୍‌ ଆଚାରୀ, ଶମ୍ଭୁ ପାଢୀ ଏବଂ ଗୁଣ୍ଠପଡା ଗ୍ରାମର ରତ୍ନାକର ସ୍ବାଇଁ। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ୭ ଲକ୍ଷ ୬୦ ହଜାର ଟଙ୍କା ଓ ୬ଟି ମୋବାଇଲ ଫୋନ ଜବତ କରାଯାଇଥିବା ସୋମବାର ଆସିକା ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପ୍ରୋବେଶନ ଆଇପିଏସ୍‌ ନଚିକେତ ସେଲକେ ସୂଚନା ଦେଇଛନ୍ତି। ତେବେ ଏହି ର଼୍ୟାକେଟରେ ସଂପୃକ୍ତ ଅନ୍ୟ ୬ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ଲାଗି ଚଢ଼ାଉ ଜାରି ରହିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ଆଇପିଏଲ ଫାଇନାଲ ମ୍ୟାଚ ଲାଗି ସ୍ଥାନୀୟ ସୁବର୍ଣ୍ଣେଶ୍ୱର ମନ୍ଦିର ପରିସରରେ ବେଟିଂ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ପୋଲିସ ପାଟ୍ରୋଲିଂ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିଥିଲା। ଅଭିଯୁକ୍ତମାନେ ଅନଲାଇନରେ ଆଇଡି ଖୋଲି ବେଟିଂ ଚଳାଇଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି। ଏ ନେଇ ଆସିକା ଥାନାରେ ନଂ.୨୬୬/୨୨ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।   ରତ୍ନାକର