Categories: ଖେଳ

ପ୍ରକାଶ ପାଇଲା ଆଇପିଏଲ-୧୪ କାର୍ଯ୍ୟସୂଚୀ: ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁମ୍ବାଇ-ଆରସିବି

ନୂଆଦିଲ୍ଲୀ,୭।୩ : ଆଗାମୀ ଆଇପିଏଲ ଲାଗି ରବିବାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ୧୪ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ଚେନ୍ନାଇରେ ଖେଳାଯିବ। ଲିଗ୍‌ର ଫାଇନାଲ ମ୍ୟାଚ୍‌ ମେ’ ୩୦ ତାରିଖରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଦିଲ୍ଲୀ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ମୁମ୍ବାଇ ଓ ବାଙ୍ଗାଲୋରରେ ମୋଟ ୫୬ଟି ଗ୍ରୁପ ମ୍ୟାଚ୍‌ ଖେଳାଯିବ। ଫାଇନାଲ ସମେତ ସମସ୍ତ ପ୍ଲେ -ଅଫ୍ସ ମ୍ୟାଚ୍‌ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ ବୋଲି ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

ଚଳିତ ବର୍ଷ ଆଇପିଏଲରେ ଖେଳାଯିବ ୧୪ଟି ଡବଲ ହେଡର ମ୍ୟାଚ୍‌। ପ୍ରତ୍ୟେକ ଦଳ ୪ଟି ଭେନ୍ୟୁରେ ଲିଗ ମ୍ୟାଚ୍‌ ଖେଳିବେ। ୫୬ ମ୍ୟାଚ୍‌ ମଧ୍ୟରୁ ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବେଙ୍ଗାଲୁରୁରେ ୧୦ ଲେଖାଏ ମ୍ୟାଚ୍‌ ଖେଳାଯିବ। ସେହିଭଳି ଅହମ୍ମଦାବାଦ ଓ ଦିଲ୍ଲୀରେ ଅନୁଷ୍ଠିତ ହେବ ୮ ଲେଖାଏ ମ୍ୟାଚ୍‌। ପ୍ରଥମ ଥର ପାଇଁ ଆଇପିଏଲର ସମସ୍ତ ମ୍ୟାଚ୍‌ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ।

Share