Categories: ଖେଳ

ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍‌ ଦିଶାନ୍ତ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୧୩।୮(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ରାଜସ୍ଥାନ ରୟାଲ୍ସ ଫିଲ୍ଡିଂ କୋଚ୍‌ ଦିଶାନ୍ତ ୟାଗନିକ୍‌ କୋଭିଡ୍‌-୧୯ ଟେଷ୍ଟରେ ପଜିଟିଭ୍‌ ବୋଲି ଜଣାପଡିଛି। ଏ ନେଇ ବୁଧବାର ଦଳ ତରଫରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଆଇପିଏଲ୍‌ ଖେଳିବାକୁ ସବୁ ଦଳ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଯାତ୍ରା କରିବାକୁ ଯାଉଥିବା ବେଳେ ଫ୍ରାଞ୍ଚାଇଜ୍‌ଗୁଡକ ମଧ୍ୟରେ ଏଭଳି ପ୍ରଥମ ମାମଲା ଦେଖିବାକୁ ମିଳିଛି। ୟୁଏଇରେ ଆଇପିଏଲ୍‌ର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ନଭେମ୍ବର ୧୦ରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଏହି ମେଗା ଇଭେଣ୍ଟ ଭାରତରୁ ସ୍ଥାନାନ୍ତର ହୋଇଛି। ୟୁଏଇ ଯିବା ପାଇଁ ସଦସ୍ୟାମାନେ ମୁମ୍ବାଇରେ ଏକାଠି ହେବାକୁ ଦୃଷ୍ଟିରେ ରଖି ଏହି ଟେଷ୍ଟ କରାଯାଇଥିଲା।
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଦ୍ୱାରା ପ୍ରସ୍ତାବ ଦିଆଯାଇଥିବା ଦୁଇଟି ଟେଷ୍ଟକୁ ବାଦ୍‌ ଦେଲେ ଏବେ ଫ୍ରାଞ୍ଚାଇଜ୍‌ ସବୁ ଖେଳାଳି, ସପୋର୍ଟ ଷ୍ଟାଫ୍‌ ଓ ମ୍ୟାନେଜମେଣ୍ଟ ସଦସ୍ୟଙ୍କର ଅତିରିକ୍ତି ଟେଷ୍ଟ କରିବ। ୟାଗ୍‌ନିକ୍‌ ଏବେ ତାଙ୍କ ଘରୋଇ ସହର ଉଦୟପୁରରେ ଅଛନ୍ତି। ବାଧ୍ୟତାମୂଳକ ୧୪ ଦିନିଆ କ୍ୱାରାଣ୍ଟାଇନ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି। କ୍ୱାରାଣ୍ଟାଇନ ପରେ ତାଙ୍କର ଦୁଇଟି ଟେଷ୍ଟ ହେବ। ରିପୋର୍ଟ ନେଗେଟଭ୍‌ ଥିଲେ ତାଙ୍କୁ ଦଳରେ ସାମିଲ ହେବାକୁ ସୁଯୋଗ ଦିଆଯିବ। ପୁଣି ୟୁଏଇରେ ପହଞ୍ଚିବା ପରେ ତାଙ୍କୁ ୬ ଦିନ ପାଇଁ ସେଲ୍ଫ ଆଇସୋଲେଶନରେ ରହିବାକୁ ପଡିବ ଓ ଏହାପରେ ତାଙ୍କର ଆହୁରି ୩ଟି କୋଭିଡ୍‌ ଟେଷ୍ଟ କରାଯିବ। ୟାଗ୍‌ନିକଙ୍କ ସହ କୌଣସି ଖେଳାଳି ସମ୍ପର୍କରେ ଆସିନାହାନ୍ତି ବୋଲି ଦଳ ତରଫରୁ ସ୍ପଷ୍ଟ କରାଯାଇଛି। ୩୭ ବର୍ଷୀୟ ଦିଶାନ୍ତ ଜଣେ ବାମହାତୀ ହାର୍ଡ ହିଟିଂ ଉଇକେଟକିପର ବ୍ୟାଟ୍ସମ୍ୟାନ ରୂପ ଜଣାଶୁଣା। ୨୫ ଆଇପିଏଲ୍‌ ମ୍ୟାଚ୍‌ ଖେଳି ସେ ୧୭୦ ରନ ସଂଗ୍ରହ କରିଛନ୍ତି। ଘରୋଇ କ୍ରିକେଟରେ ମଧ୍ୟ ତାଙ୍କ ପ୍ରଦର୍ଶନ ଭଲ ରହିଛି।

Share