ଆଇପିଏଲ୍‌-୧୩ : ଉଦ୍‌ଘାଟନୀ ମ୍ୟାଚ୍‌ରେ ଧୋନୀଙ୍କ ସୁପର୍‌ କିଙ୍ଗ୍ସକୁ ଭେଟିବ ଏହି ଟିମ୍‌

ନୂଆଦିଲ୍ଲୀ, ୬।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଆସନ୍ତା ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌କୁ ଭାରତ ପରିବର୍ତ୍ତେ ବିଦେଶରେ ଆୟୋଜିତ କରିବାକୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନିଷ୍ପତ୍ତି ନେଇଥିଲା। ଏହି ଅବସରରେ ବିସିସିଆଇ ପକ୍ଷରୁ ଆଇପିଏଲ୍‌-୧୩ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ପ୍ରକାଶ ପାଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ଗତଥରର ରନର୍ସଅପ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଆବୁଧାବିରେ ସେପ୍ଟେମ୍ବର ୧୯ରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ଅର୍ଥାତ୍‌ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ସୁପର୍‌ କିଙ୍ଗ୍ସ ଓ ରୋହିତ୍‌ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଓପନିଂ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ। ସେହିଭଳି ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ବିସିସିଆଇ ପକ୍ଷରୁ ବର୍ତ୍ତମାନ କେବଳ ୫୬ ମ୍ୟାଚ୍‌ର କାର୍ଯ୍ୟସୂଚୀ ଜାରି କରାଯାଇଛି। ଯେଉଁଥିରେ ପ୍ଲେ-ଅଫ୍‌ ଓ ଫାଇନାଲ ମ୍ୟାଚ୍‌ ସାମିଲ ନାହିଁ। ପ୍ଲେ-ଅଫ୍‌ ଓ ଫାଇନାଲ ମ୍ୟାଚ୍‌ କାର୍ଯ୍ୟସୂଚୀ ସମ୍ବନ୍ଧରେ ପରେ ସୂଚନା ଦିଆଯିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ଚଳିତ ବର୍ଷ ୧୦ ଦିନ ଡବଲ୍‌ ହେଡର୍ସ ମ୍ୟାଚ୍‌ ଖେଳାଯିବ। ଅର୍ଥାତ୍‌ ଦିନକୁ ୨ଟି ଲେଖାଏ ମ୍ୟାଚ୍‌ ଆୟୋଜିତ ହେବ। ଭାରତୀୟ ସମୟ ଅପରାହ୍ନ ୩ଟା ୩୦ରେ ପ୍ରଥମ ମ୍ୟାଚ୍‌ ଓ ଦ୍ୱିତୀୟ ମ୍ୟାଚ୍‌ ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ।

Share