ନୂଆଦିଲ୍ଲୀ,୨୩।୪: ଜୋଫ୍ରା ଆର୍ଚର ଇଣ୍ଡିଆନ ପ୍ରିମିୟର ଲିଗ ଇତିହାସରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି। ସେ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ଏକ ମ୍ୟାଚ ସମୟରେ ମେଡେନ ଓଭର ବୋଲିଂ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ପୂର୍ବରୁ ଅନେକ ବୋଲର ଆଇପିଏଲରେ ମେଡେନ ଓଭର ଦେଇଥିବା ବେଳେ ଆର୍ଚର ଅନନ୍ୟ କିଛି ହାସଲ କରିଛନ୍ତି। ଆର୍ଚର ଆଇପିଏଲ ଇତିହାସରେ ପ୍ରଥମ ବୋଲର, ଯିଏ ନିକୋଲାସ ପୁରନଙ୍କ ବିପକ୍ଷରେ ମେଡେନ ଓଭର ବୋଲିଂ କରିଛନ୍ତି।
ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ନିକୋଲାସ ପୁରନ ୨୦୧୯ ମସିହାରୁ ନିରନ୍ତର ଆଇପିଏଲରେ ଖେଳୁଛନ୍ତି; ସେ ୧୪୦୦ରୁ ଅଧିକ ବଲ୍ରର ସମ୍ମୁଖୀନ ହୋଇଛନ୍ତି ଏବଂ ତାଙ୍କ ନାମରେ ୨୩୦୦ରୁ ଅଧିକ ରନ ଅଛି। ଏପର୍ଯ୍ୟନ୍ତ ଲିଗ ଇତିହାସରେ କୌଣସି ବୋଲର କେବେ ପୁରନ ବିପକ୍ଷରେ ମେଡେନ ଓଭର ବୋଲିଂ କରିପାରି ନ ଥିଲେ। ଆର୍ଚର – ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରି ଏହି ସଫଳତା ହାସଲ କରିଛନ୍ତି।
ଜୋଫ୍ରା ଆର୍ଚର ଆଇପିଏଲ ୨୦୨୬ ର ୩୨ତମ ମ୍ୟାଚ ସମୟରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ଇନିଂସର ପଞ୍ଚମ ଓଭର ସମୟରେ ଆର୍ଚର ବୋଲିଂ କରିବାକୁ ଆସିଥିଲେ। ନିକୋଲାସ ପୁରନ ଖରାପ ଫର୍ମ ସହିତ ସଂଘର୍ଷ କରୁଛନ୍ତି,ଏବଂ ସେ ଆର୍ଚରଙ୍କ ଧୂଆଁଧାର ଗତି ବିପକ୍ଷରେ ବହୁତ ସଂଘର୍ଷ କରୁଥିବା ଦେଖାଯାଉଥିଲା। ଏହା ଆର୍ଚରଙ୍କ IPL କ୍ୟାରିୟରର ଚତୁର୍ଥ ମେଡେନ ଓଭର ଥିଲା। IPLରେ ସର୍ବାଧିକ ମେଡେନ ଓଭର ବୋଲିଂ କରିବା ଦୃଷ୍ଟିରୁ ସେ ଏବେ ରସିଦ ଖାନ ଏବଂ ମହମ୍ମଦ ସିରାଜଙ୍କ ପରି ବୋଲରଙ୍କ ସମକକ୍ଷ ହୋଇଛନ୍ତି।
ନିକୋଲାସ ପୁରନଙ୍କୁ IPLରେ ଲକ୍ଷ୍ନୌ ସୁପରଜାଏଣ୍ଟସ ଫ୍ରାଞ୍ଚାଇଜ ୨୧ କୋଟି ଟଙ୍କାରେ କିଣିଛି। ଏ ପର୍ଯ୍ୟନ୍ତ ସେ ୭ ଇନିଂସରେ ମାତ୍ର ୭୩ ରନ କରିପାରିଛନ୍ତି। ରାଜସ୍ଥାନ ବିପକ୍ଷରେ ସେ କରିଥିବା ୨୨ ରନ ଏପର୍ଯ୍ୟନ୍ତ ସିଜିନର ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର।
Dharitri – Odisha’s No.1 Odia Daily

