Categories: ବାଣିଜ୍ୟ

୧୧ ଲକ୍ଷ କୋଟି କ୍ଷତି ସହିଲେଣି ନିବେଶକ, ୬ ଦିନ ହେଲା ଖସୁଛିି ଶେୟାର ବଜାର

ମୁମ୍ବାଇ : ଗତ ୬ ଦିନ ହେବ ଦେଶର ଶେୟାର ବଜାର ଉପରେ ନକାରାତ୍ମକ ପ୍ରଭାବ ପଡିଛି। ଏହି ସମୟ ମଧ୍ୟରେ କାରବାର ଲଗାତର ଭାବେ ଖସି ଚାଲିଛି। ଗତ ୬ ଦିନରେ ନିବେଶକଙ୍କୁ ୧୧.୩୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ବିଶ୍ୱ ବଜାର ଚାପରେ ଘରୋଇ ବଜାରର ପୁଞ୍ଜିବଜାରରେ ଗୁରୁବାର ନିବେଶକଙ୍କ କ୍ଷତି ୩.୯୫ ଲକ୍ଷ କୋଟି ଟଙ୍କା ରହିଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଗୁରୁବାର ୧,୧୧୫ ପଏଣ୍ଟ ଖସିଥିବା ବେଳେ ନିଫ୍ଟି ୧୦,୮୫୦ ପଏଣ୍ଟ ନିମ୍ନରେ ରହିଛି। କରୋନା ଭାଇରସ୍‌ ଏବଂ ବିଶ୍ୱ ଶେୟାର ବଜାର କାରବାର କ୍ଷତିଗ୍ରସ୍ତ ରହିବାରୁ ଏହାର ପ୍ରଭାବ ଭାରତ ବଜାର ଉପରେ ପଡିଛି। କରୋନା ମହାମାରୀର ଦ୍ୱିତୀୟ ଲହର ବର୍ତ୍ତମାନ ଆସିଥିବା ବେଳେ ଏହା ନିବେଶକଙ୍କ ମନରେ ନକାରାତ୍ମକ ଭାବନା ସୃଷ୍ଟି କରିଛି। ସେହିଭଳି ସାରା ବିଶ୍ୱର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିକଟରେ କିଛି ପଦକ୍ଷେପ ନେଇ ନ ଥିବାରୁ ଏହାକୁ ନେଇ ନିବେଶକ ଆଶଙ୍କାରେ ରହିଛନ୍ତି।
ଗୁରୁବାର ସେନ୍‌ସେକ୍ସ ୧୧୧୪.୮୨ ପଏଣ୍ଟ(୨.୯୬%) ନିମ୍ନରେ ରହି ୩୬,୫୫୩.୬୦ ପଏଣ୍ଟରେ କାରବାର ବନ୍ଦ ରହିଥିଲା। ସେହିଭଳି ନିଫ୍ଟି କାରବାର ୩୨୬.୩୦ ପଏଣ୍ଟ (୨.୯୩%) ଖସିବା ଯୋଗୁ କାରବାର ୧୦.୮୦୫.୫୫ ସ୍ତରରେ ବନ୍ଦ ରହିଛି। ଗତ ୬ ଦିନ ମଧ୍ୟରେ ସେନ୍‌ସେକ୍ସ ୨,୭୪୯ ପଏଣ୍ଟ କମିଛି। ଏହି ଅବଧିରେ ନିଫ୍ଟି କାରବାର ୭୯୯ ପଏଣ୍ଟ ନିମ୍ନରେ ରହିଛି। ଏସିଆର ଅନ୍ୟ ପ୍ରମୁଖ ଶେୟାର ବଜାରଗୁଡିକର କାରବାରରେ ମଧ୍ୟ ପ୍ରଭାବ ପରିଲକ୍ଷିତ ହୋଇଛି।

Share