ଚାକିରି ପାଇଁ ନିବେଶ

ସଭ୍ୟ ସମାଜରେ ପୋଲିସ ଆପରାଧିକ ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ବୋଲି କୁହାଯାଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ଆଇନଶୃଙ୍ଖଳା ବଜାୟ ରଖିବା, ଅପରାଧ ଠାବ କରି ତାହାକୁ ଦୂର କରିବା ଏବଂ ଜନସାଧାରଣଙ୍କ ଜୀବନ ଓ ଧନର ସୁରକ୍ଷା କରିବା ହେଉଛି ପୋଲିସର ଦାୟିତ୍ୱ। ହେଲେ ଆଜି ଓଡ଼ିଶା ସମେତ ସବୁ ରାଜ୍ୟର ପୋଲିସ ଯେମିତି ବଡ଼ବଡ଼ିଆଙ୍କ ଜଗୁଆଳି ସାଜିଛନ୍ତି। ସେମାନେ ଭିଆଇପିଙ୍କ ସୁରକ୍ଷାରେ ରହୁଥିବା ଅଧିକାଂଶ ବେଳେ ଦେଖିବାକୁ ମିଳୁଛି। ଅପରାଧକୁ ନିୟନ୍ତ୍ରଣ କରିବା ଅପେକ୍ଷା ‘ଭିଆଇପି ମୁଭ୍‌ମେଣ୍ଟ’ ପାଇଁ ଟ୍ରାଫିକ୍‌ ଜଗିବାକୁ ବଡ଼ କାମ ବୋଲି ପୋଲିସ ଧରି ନେଉଛି। ପୋଲିସ ଷ୍ଟେଶନରେ ଥାନା ବଡ଼ ବାବୁ କାହାନ୍ତି ପ୍ରଶ୍ନ କଲେ, ଉତ୍ତର ମିଳିବ ସାର୍‌ ମନ୍ତ୍ରୀଙ୍କ ସୁରକ୍ଷାରେ ବ୍ୟସ୍ତ। ଲାଗିଲାଣି ଯେମିତି ପୋଲିସ ବଡିଗାର୍ଡ ୟୁନିଟ୍‌ ହୋଇଯାଇଛି। ଅପରାଧ ତା’ ବାଟରେ ଦୌଡ଼ୁଛି। ସମସ୍ୟା ଅଣାୟତ୍ତ ହୋଇଗଲାଣି ବୋଲି କଟକ ଭଳି ଘଟଣା ପ୍ରମାଣ କରିଦେଉଛି। ସହର ଡିସିପି ଓ ତାଙ୍କ ସହ ୨୫ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହେବା ଖବର ସ୍ଥାନୀୟ ଗୁଣ୍ଡା ଓ ଅସାମାଜିକ ବ୍ୟକ୍ତିଙ୍କ ମନୋବଳ ବଢ଼ାଇବା ସୁନିଶ୍ଚିତ। ଯେତେବେଳେ ପୋଲିସ ନିଜକୁ ସୁରକ୍ଷା ଦେବାରେ ଅକ୍ଷମ ହୋଇପଡ଼େ ସେତେବେଳେ ସଭ୍ୟ ସମାଜରେ ମୂଳଦୁଆ ଭୁଶୁଡ଼ି ପଡ଼ିଲା ଭଳି ହୃଦ୍‌ବୋଧ ହେବା ସ୍ବାଭାବିକ।
ଏଥିସହିତ ଅନ୍ୟ ଏକ ଦିଗକୁ ବି ଦେଖାଯାଉ। ବିଗତ କିଛି ବର୍ଷ ହେଲା ବାରମ୍ବାର ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହେବା କିମ୍ବା ଅଶାୟୀଙ୍କୁ ଗଳାବାଟ ଦେଇ ଯୋଗ୍ୟ କରାଇବା ଭଳି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଭଳି କାର୍ଯ୍ୟକଳାପକୁ ପୋଲିସ ଠିକ୍‌ ଭାବେ ତଦନ୍ତ କରି ନିୟନ୍ତ୍ରଣ କରିପାରୁନାହିଁ। ଓଡ଼ିଶା ନ୍ୟାୟିକ ସେବା (ଓଜେଏସ୍‌), ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି), ରାଜସ୍ବ ନିରୀକ୍ଷକ (ଆର୍‌ଆଇ) ଓ ଅମିନ ପରୀକ୍ଷାକୁ ବାତିଲ କରାଯିବା ଏସବୁର ଦୃଷ୍ଟାନ୍ତ। ନିକଟରେ ଓଡ଼ିଶା ପୋଲିସର ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଜାଲିଆତି ରାଜ୍ୟବ୍ୟାପୀ ଚହଳ ପକାଇବା ତା’ର ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ (ଓପିଆର୍‌ବି) ଦ୍ୱାରା ହେବାକୁ ଥିବା ଏହି ପରୀକ୍ଷାକୁ ଶେଷରେ ବାତିଲ କରିବାକୁ ପଡ଼ିଛି । ଘଟଣାକୁ ଦେଖିଲେ ଏହି ପରୀକ୍ଷାର ପରିଚାଳନା ଦାୟିତ୍ୱ ନେଇଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଆଇଟିଆଇ ଲିମିଟେଡ୍‌ ତାହାକୁ ସିଲିକନ ଟେକଲାବ୍‌ ପ୍ରାଇଭେଟ ଲିମିଟେଡ୍‌କୁ ଦେଇଥିଲା। ସିଲିକନ୍‌ ପୁଣି ପଞ୍ଚ୍‌ସଫ୍ଟ ଟେକ୍‌ନୋଲୋଜିସ୍‌ ପ୍ରାଇଭେଟ ଲିମିଟେଡ୍‌କୁ କାମ ଦେଇଥିଲା। ଅର୍ଥାତ୍‌ ୩ ସେଣାରେ ପରୀକ୍ଷା କରାଇବା ଦ୍ୱାରା ପ୍ରତ୍ୟେକ ସଂସ୍ଥା ନିଜ ଲାଭ ରଖି ପରବର୍ତ୍ତୀ ସଂସ୍ଥାକୁ କାମ ହସ୍ତାନ୍ତର କରିଛି। ଏଥିରୁ ବୁଝିବାକୁ ହେବ ଯେ କରଦାତାଙ୍କ ଅର୍ଥକୁ କେତେ ପରିମାଣରେ ନଷ୍ଟ କରାଯାଉଛି। ଏହାବ୍ୟତୀତ ଏହିସବୁ ପରୀକ୍ଷାରେ କେଉଁଠାରୁ ବଦ୍‌ମାସି ଆରମ୍ଭ ହେଲା ତାହା ଲୁଚିଯିବା ସହଜ ହୋଇଥାଏ ଯେତେବେଳେ ବିଭିନ୍ନ ପରସ୍ତରେ କାମ କରାଯାଇଥାଏ। ଦେଖିବାକୁ ଗଲେ ସେହିସବୁ ସଂସ୍ଥା ଲିଖିତ ପରୀକ୍ଷା କରିବା ପରେ ଶାରୀରିକ ଓ ମୌଖିକ ପରୀକ୍ଷା ଓପିଆର୍‌ବି କରିଥାଆନ୍ତା। ତେବେ ଘରୋଇ ସଂସ୍ଥା ପଞ୍ଚ୍‌ସଫ୍ଟର ମାଲିକ ଶଙ୍କର ପୃଷ୍ଟିଙ୍କ ଯୋଜନା ଅନୁଯାୟୀ ପରୀକ୍ଷା ପୂର୍ବରୁ ୧୧୪ ଜଣ ଆଶାୟୀଙ୍କୁ ହାଇଦ୍ରାବାଦ ଅଭିମୁଖେ ନିଆଯାଉଥିଲା। ଏ ବିଷୟ ଜଣାପଡ଼ିବା ପରେ ପୋଲିସ ସେମାନଙ୍କୁ ଗିରଫ କରି ଏସ୍‌ଆଇ ପରୀକ୍ଷାକୁ ବାତିଲ କରାଯାଇଛି। ଏଥିରେ ଜଣେ ପୂର୍ବତନ ଜେଲ୍‌ ଡିଆଇଜିଙ୍କ ପିଲା ରହିଥିବା ଖବର ପଦାକୁ ଆସିଛି। ଖୋଳତାଡ଼ ହେବା ପରେ ହୁଏତ ଅନ୍ୟ କେତେକଙ୍କ ନାମ ପଦାକୁ ଆସିପାରେ। ଜଣାପଡ଼ିଛି ଯେ, ଗୋଟେ ପଦବୀ ପାଇବା ପାଇଁ ଆଶାୟୀମାନେ ୨୫ ଲକ୍ଷ ଟଙ୍କା ଦେବା ଲାଗି ପ୍ରସ୍ତୁତ ହୋଇଥିଲେ। ପରୀକ୍ଷା ପୂର୍ବରୁ ୧୦ ଲକ୍ଷ ଦିଆଯାଇଥିଲା, ଚାକିରି ପାଇଥିଲେ ୧୫ ଲକ୍ଷ ଦେଇଥାଆନ୍ତେ ବୋଲି କଥା ସରିଥିଲା। ଇତିମଧ୍ୟରେ ଏହି ଜାଲିଆତିର ତଦନ୍ତ ଦାୟିତ୍ୱ କ୍ରାଇମ୍‌ବ୍ରାଞ୍ଚ ନେଇଥିବା କେବଳ ଧର୍ମକୁ ଆଖିଠାର ଭଳି।
ବାସ୍ତବରେ ଯେଉଁ ପ୍ରାର୍ଥୀମାନେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରି ପୋଲିସ ଚାକିରିରେ ଭର୍ତ୍ତି ହେବାକୁ ଚେଷ୍ଟା କରୁଛନ୍ତି, ସେମାନଙ୍କର ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ କେତେ ଦୃଷ୍ଟି ପଡ଼ିବ ତାହା ଚିନ୍ତାର ବିଷୟ। ଏଥିସହିତ ନିରୀହଙ୍କୁ ନ୍ୟାୟ ଯୋଗାଇବା ପାଇଁ ଏହିଭଳି ପୋଲିସ ଅଫିସରଙ୍କର ଦାୟିତ୍ୱ ପଡ଼ିଲେ ସେମାନେ କେତେ ନିଷ୍ଠାରେ କାମ କରିବେ ତାହା ସମୟ କହୁଛି। ହୁଏତ ସେଥିପାଇଁ ଆଜି ମଧ୍ୟ ଭଦ୍ର ନାଗରିକମାନେ ଥାନାକୁ ଯିବାକୁ ଭୟ କରୁଛନ୍ତି। ଏହି ମାନସିକତା ଅନ୍ୟ ଗଣତାନ୍ତ୍ରିକ ଦେଶଗୁଡ଼ିକରେ ଦେଖିବାକୁ ମିଳେନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ମାତ୍ରକେ ସାଧାରଣ ଲୋକ ଶାନ୍ତିରେ ପ୍ରଶ୍ୱାସ ନେଇପାରନ୍ତି। କେବଳ ଓଡ଼ିଶାରେ ନୁହେଁ, ସମଗ୍ର ଭାରତରେ ସେହିଭଳି ପରିସ୍ଥିତି ଦେଖିବାକୁ ମିଳେ ନାହିଁ। ପୂର୍ବରୁ ଚିନ୍ତା କରାଯାଉଥିଲା ମହିଳାମାନଙ୍କୁ ଆୟତ୍ତ କରିବା ପାଇଁ ମହିଳା ପୋଲିସ ମୁତୟନ ହେବା ଉଚିତ। ପରବର୍ତ୍ତୀ ସମୟରେ ଏବଂ ବିଶେଷକରି ସୋସିଆଲ ମିଡିଆରେ ପୋଲିସର ଅସଦ୍‌ ବ୍ୟବହାର ଦେଶବାସୀ ଦେଖିବାକୁ ପାଉଛନ୍ତି। ଏଥିରୁ ବୁଝିବାକୁ ହେବ ଯେ ମହିଳା ହୁଅନ୍ତୁ ବା ପୁରୁଷ, ପୋଲିସ ବଳର କ୍ଷମତାକୁ ଅପବ୍ୟବହାର କରିବା ପାଇଁ ସବୁ କର୍ମଚାରୀ ନ ହେଲେ ମଧ୍ୟ ଅଧିକାଂଶ ପ୍ରବଳ ମାତ୍ରାରେ ଇଚ୍ଛୁକ ରହୁଛନ୍ତି। ସେଥିପାଇଁ ୨୫ ଲକ୍ଷ ବିନିଯୋଗ କରି ଚାକିରି ପାଇବା ପରେ ସେହି ପୋଲିସ କର୍ମଚାରୀର ଲୋଭ ଅସରନ୍ତି ହୋଇଯାଉଛି। ଏହା ଏକ ସାମାଜିକ ରୋଗ, ଯାହାର ନିରାକରଣ ରାତାରାତି ହୋଇପାରିବ ନାହିଁ। କାରଣ ଉଚ୍ଚପଦସ୍ଥ ଅଫିସର ମଧ୍ୟ କୌଣସି ଭାବେ ଜନତା ସପକ୍ଷବାଦୀ ଚରିତ୍ର ପ୍ରଦର୍ଶନ କରିବାକୁ ଚେଷ୍ଟା କରୁନାହାନ୍ତି। ସେଥିପାଇଁକି ସକାରାତ୍ମକ ଅନୁକରଣ କରିବା ସୁଯୋଗ ଉପୁଜୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ: ଅଟକିଲା ଆମ୍ବୁଲାନ୍ସ, ଗାଡି ପାଉ ନ ଥିଲେ ଲୋକେ

ନୂଆପଡ଼ା,୮ା୧୧ (ମକାରୁ ବେମାଲ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋରେ ନୂଆପଡ଼ା ସହରର ଏକତା ଛକ ଓ ଖରିଆର ରୋଡ୍‌ ଏନ୍‌ଏସରେ ପ୍ରବଳ ଭିଡ଼...

ଉପନିର୍ବାଚନ ପ୍ରଚାରର ଶେଷଦିନ: ୪ଟାରୁ ନୂଆପଡ଼ା ଛାଡ଼

ନୂଆପଡ଼ା,୯।୧୧(ମକାରୁ ବେମାଲ): ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ। ରବିବାର ଅପରାହ୍ନ ୪ଟାରୁ ସାଇଲେନ୍ସ ପିରିୟଡ ଲାଗୁ ହେବ। ସାଇଲେନ୍ସ ପିରିୟଡ ପୂର୍ବରୁ ସମସ୍ତ...

ଏଇ ଭାରତରେ

ରୋଗପୋକ ନିୟନ୍ତ୍ରଣ ଓ ଜଳବାୟୁର ପ୍ରତିକୂଳ ସ୍ଥିତି ସମ୍ପର୍କିିତ ତଥ୍ୟ ସଂଗ୍ରହ କରୁଥିବା ଟେକ୍ନୋଲୋଜି ଏବେ ଆଧୁନିକ କୃଷିକୁ ନୂଆ ଦିଗ ଦେଖାଇଛି। ଏହି କ୍ରମରେ...

ଜୀବନର ମୂଲ୍ୟ

ଜିକାଲିର ଯୁବପିଢ଼ି ପାଖରେ ଜୀବନ ମୂଲ୍ୟର ଉତ୍କଟ ଅଭାବ ସବୁଆଡ଼େ ପରିଲକ୍ଷିତ ହେଲାଣି, ଯାହା ସମାଜ ପାଇଁ ଏକ ଆହ୍ବାନ କହିଲେ ଅତ୍ୟୁକ୍ତି ହେବ ନାହିଁ।...

ଟମ୍‌ କକାଙ୍କ ଦିନ

ଜିକୁ ପ୍ରାୟ ଦେଢ଼ଶହ ବର୍ଷ ତଳେ ୧୮୫୨ ମସିହାରେ ପ୍ରକାଶ ପାଇଥିଲା ହ୍ୟାରିଏଟ ବିଚର୍‌ ଷ୍ଟାୱେଙ୍କର କାଳଜୟୀ ଉପନ୍ୟାସ ‘ଅଙ୍କଲ ଟମ୍ସ କ୍ୟାବିନ’। ପରବର୍ତ୍ତୀ କାଳରେ...

ନେତୃତ୍ୱର ବିଜୟ

ଆମେରିକା ସମ୍ବିଧାନର ପ୍ରଥମ ସଂଶୋଧନରେ କୁହାଯାଇଥିଲା ଯେ, ଏକ ଧର୍ମକୁ ସମ୍ମାନ ଜଣାଇବା କିମ୍ବା ଏହାକୁ ସ୍ବାଧୀନ ଭାବେ ପାଳନ କରିବା ଉପରେ ପ୍ରତିବନ୍ଧକ ଲଗାଇବା;...

ଆପାର୍ଟମେଣ୍ଟ ବାଲ୍‌କୋନି ଭୁଶୁଡ଼ି ୩ମୃତ

କଟକ,୯।୧୧(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା ପାଇଁ କଟକ ସହର ଚଳଚଞ୍ଚଳ ହୋଇ ଉଠିଥିବାବେଳେ ଶନିବାର ଅପରାହ୍ନରେ ମଣିସାହୁ ଛକ ନିକଟରେ ଘଟିଛି ଏକ ଅଘଟଣ। ଏକ...

ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିବା ପରେ ଟିମ ଇଣ୍ଡିଆକୁ ମିଳିଥିଲା କି ପୁରସ୍କାର ରାଶି? ଜାଣନ୍ତୁ ICC ନିୟମ ବିଷୟରେ

ନୂଆଦିଲ୍ଲୀ,୮।୧୧: ଭାରତୀୟ ମହିଳା କ୍ରିକେଟ ଦଳ ସମ୍ପ୍ରତି ୨୦୨୫ ODI ବିଶ୍ୱକପ ଜିତିଛି। ଏଥିପାଇଁ, ସେମାନେ ପ୍ରାୟ ୪୦ କୋଟି ଟଙ୍କା ପୁରସ୍କାର ରାଶି ପାଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri