ଆୟକର ଅଫିସର ପରିଚୟ ଦେଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଝାରସୁଗୁଡ଼ା ଅଫିସ,୪।୪: ନିଜକୁ ଆୟକର ବିଭାଗର ଜଣେ ଅଧିକାରୀ ବୋଲି ପରିଚୟ ଦେଇ ଗତ ମଙ୍ଗଳବାର ଝାରସୁଗୁଡ଼ା ସହରର ଏକ ଅଳଙ୍କାର ଦୋକାନରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କରି ଫେରାର ହୋଇଯାଇଥିବା ଜଣାପଡିଛି। ଏ ନେଇ ଦୋକାନ ମାଲିକ ମୁରଲୀଧର ସାକୁନିଆ ଶନିବାର ଝାରସୁଗୁଡା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଝାରସୁଗୁଡା ଥାନାରେ ଏକ ମାମଲା ରୁଜୁକରି ଦୋକାନ ସିସିଟିଭି ଫୁଟେଜ ଯାଞ୍ଚକରି ତଦନ୍ତ ଚଳାଇଛି ।
ସୂଚନାଯୋଗ୍ୟ, ଘଟଣାରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏକ କାର୍‌ ଯୋଗେ ଆସି ଦୋକାନରେ ପହଞ୍ଚିଥିଲେ। ନିଜକୁ ହାଇଦ୍ରାବାଦର ଆୟକର ଅଫିସର ପରିଚୟ ଦେଇ ଦୋକାନୀଙ୍କୁ ଅଳଙ୍କାର ଦେଖାଇବା ପାଇଁ କହିଥିଲେ। ଦୋକାନୀ ଅଳଙ୍କାର ଦେଖାଇଥିଲେ । ପରେ ସେ ୨ଟି ଚେନ ଓ ୨ଟି ମୁଦି ନେଇଥିଲେ। ଏନ୍‌ଇଏଫ୍ଟି କରିବା ପାଇଁ ଦୋକାନୀଙ୍କୁ ବ୍ୟାଙ୍କ ଆକାଉଣ୍ଟ ମାଗିଥିଲେ । ଦୋକାନୀ ମାଲିକ ତାଙ୍କୁ ଆକାଉଣ୍ଟ ଡିଟେଲସ ଦେଇଥିଲେ । ପରେ ସେ ମୋବାଇଲରେ ଏନ୍‌ଇଏଫ୍ଟି କରି ଏହାର ଏକ ସ୍କ୍ରିନଶଟ ଦୋକାନୀଙ୍କୁ ଦେଖାଇଥିଲେ । ନେଟୱର୍କ ସର୍ଭର ଡାଉନ ରହିଛି, କିଛି ସମୟ ପରେ ଆପଣଙ୍କ ମୋବାଇଲରେ ଶୋ କରିବ ବୋଲି କହି ଅଳଙ୍କାର ଧରି ଲୁଟେରା ଜଣକ ଛୁ ମାରିଥିଲେ । ଦୋକାନୀ ଭାବିଥିଲେ ନେଟୱର୍କ ପାଇଁ ଏମିତି ହୁଏ ପରେ ଆକାଉଣ୍ଟକୁ ଟଙ୍କା ଆସିଯାଇଥାଏ । ଏମିତି ଭାବି ଦୋକାନୀ ୪ ଦିନ ଅପେକ୍ଷା କରିଥିଲେ । କିନ୍ତୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସି ନ ଥିଲା। ପରେ ଦୋକାନୀ ଜାଣିପାରିଥିଲେ ଯେ, ସେ ଠକାମିର ଶିକାର ହୋଇଛନ୍ତି । ଏ ନେଇ ସେ ପୋଲିସରେ ଅଭିଯୋଗ କରିଥିଲେ ।