Categories: ବାଣିଜ୍ୟ

ନୀରବଙ୍କ ସ୍ତ୍ରୀ ଆମିଙ୍କ ବିରୋଧରେ ଇଣ୍ଟରପୋଲର ଗିରଫ ପରଓ୍ବାନା

ନୂଆଦିଲ୍ଲୀ,୨୬।୮: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ୧୩,୫୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତକ ଘୋଷିତ ନୀରବ ମୋଦିଙ୍କ ସ୍ତ୍ରୀ ଆମି ମୋଦିଙ୍କ ବିରୋଧରେ ଇଣ୍ଟରପୋଲ ଗ୍ଲୋବାଲ ଗିରଫ ପରଓ୍ବାନା ଜାରି କରିଛି। ବେଆଇନ ଅର୍ଥ କାରବାର ମାମଲାରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ମଙ୍ଗଳବାର ସୂଚନା ଦେଇଛନ୍ତି। ଦେଶର ପ୍ରମୁଖ ତଦନ୍ତକାରୀ ଏଜେନ୍ସି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ରେଡ୍‌ କର୍ନର ନୋଟିସ ଜାରି କରିବା ଲାଗି ଗ୍ଲୋବାଲ ପୋଲିସକୁ ଅନୁରୋଧ କରିଥିଲା। ଜଣେ ପଳାତକଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହେଲେ ଇଣ୍ଟରପୋଲ୍‌ର ସଦସ୍ୟ ଥିବା ୧୯୨ ଦେଶର ପୋଲିସ ସେମାନଙ୍କ ଦେଶରେ ଅଭିଯୁକ୍ତଙ୍କୁ ଅଟକ କିମ୍ବା ଗିରଫ କରିପାରିବେ। ଏହା ପରେ ତାଙ୍କୁ ପ୍ରତ୍ୟପଣ କରିବା କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା ରହିଛି। ୨୦୧୮ରେ ପିଏନ୍‌ବି ଋଣ ଠକେଇ ମାମଲା ସାମ୍ନାକୁ ଆସିବା ପରେ ଆମି ମୋଦି ଭାରତ ଛାଡ଼ି ପଳାୟନ କରିଥିଲେ। ବେଆଇନ ଅର୍ଥ କାରବାର ନିରୋଧୀ ଆଇନ(ପିଏମ୍‌ଏଲ୍‌ଏ)ରେ ଇଡି ନୀରବ ମୋଦିଙ୍କ ସମେତ ତାଙ୍କ ସ୍ତ୍ରୀ ଆମି ମୋଦି ଏବଂ ମାମୁ ମେହୁଲ ଚୋକ୍‌ସିଙ୍କୁ ବ୍ୟାଙ୍କ ଠକେଇର ଅଭିଯୁକ୍ତ ଦର୍ଶାଇ ବର୍ତ୍ତମାନ ତଦନ୍ତ ଚଳାଇଛି। ୪୯ ବର୍ଷୀୟ ନୀରବ ମୋଦି ଲଣ୍ଡନରେ ଗିରଫ ହେବା ପରେ ତାଙ୍କୁ ସେଠାକାର ଏକ ଜେଲରେ ରଖାଯାଇଛି। ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲାର ଶୁଣାଣି ଜାରି ରହିଛି। ମୁମ୍ବାଇର ଏକ ନ୍ୟାୟାଳୟ ନୀରବଙ୍କୁ ପଳାତକ ଆର୍ଥତ୍କ ଅପରାଧୀ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରକ୍ରିୟା ଅନ୍ତର୍ଗତ ତାଙ୍କ ସହ ସମ୍ପୃକ୍ତ ୩୨୯ କୋଟି ଟଙ୍କାର ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ସେହିଭଳି ପିଏନ୍‌ବି ଠକେଇ ମାମଲାରେ ଇଣ୍ଟରପୋଲ ପୂର୍ବରୁ ନୀରବଙ୍କ ସାନଭାଇ ନେହାଲ ମୋଦି ଏବଂ ଭଉଣୀ ପୂର୍ବୀ ମୋଦିଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିସାରିଛି।

Share