ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା।
ବଲାଙ୍ଗୀର ଜିଲା ପ୍ରଶାସନ ଏବଂ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରାଳୟ, ଓଡ଼ିଶା ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ସାମୂହିକ ଯୋଗାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଯୋଗ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଯୋଗଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ଗୌରବ ଶିବାଜୀ ଇସଲୱାର, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତରଣୀ ସୁନା, ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ଡ଼. ମନୋଜ କୁମାର ସାହୁ, ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ସାହୁ, ଭାଜପା ନେତା ଗୋପାଳଜୀ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସରକାରୀ ଆୟୁର୍ବେଦିକ କଲେଜର ଡାକ୍ତରୀ ଛାତ୍ରଛାତ୍ରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଖେଳାଳି, ସରକାରୀ ଓ ବେସରକାରୀ ସଂସ୍ଥାର କର୍ମଚାରୀ ଏବଂ ସ୍ୱାସ୍ଥ୍ୟ ସଚେତନ ବ୍ୟକ୍ତିମାନେ ଯୋଗଦେଇ ସାମୂହିକ ଯୋଗାଭ୍ୟାସରେ ଅଂଶଗ୍ରହଣ କରିଥିଲେ।
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଯୋଗର ଉପକାରିତା, ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥ ଜୀବନଶୈଳୀ ଗଠନ ଓ ମାନସିକ ସନ୍ତୁଳନ ରକ୍ଷା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା।

