ଅଧିକାରରେ ହସ୍ତକ୍ଷେପ

ଆମ ପାଖରେ ଭୋଟ, ନ୍ୟାୟାଳୟ ଏବଂ ପ୍ରତିବାଦ ଭଳି ତିନୋଟି ଗଣତାନ୍ତ୍ରିକ ସାଧନ ରହିଛି। ଏଥିମଧ୍ୟରୁ କେବଳ ପ୍ରତିବାଦ ଉପରେ ଭାରତୀୟଙ୍କର ପ୍ରକୃତ ନିୟନ୍ତ୍ରଣ ରହିଛି। ଅନ୍ୟପକ୍ଷରେ ଭୋଟ ଦେବାର ଗଣତାନ୍ତ୍ରିକ ଅଧିକାର ନିର୍ବାଚନ ମଧ୍ୟବର୍ତ୍ତୀ ସମୟରେ ଅଦୃଶ୍ୟ ହୋଇଯାଉଛି। ଅନେକ ଦଶନ୍ଧି ଧରି ଭାରତର ନିର୍ବାଚନ ପ୍ରକ୍ରିୟା ତାହାର ମର୍ଯ୍ୟାଦା ଓ ବିଶ୍ୱସନୀୟତା ବୃଦ୍ଧି କରିଆସିଛି। କିନ୍ତୁ ତାହା ଏବେ ଶେଷ ହୋଇଛି। ସମ୍ବିଧାନରେ କୁହାଯାଇଛି, ୧୮ ବର୍ଷରୁ ଅଧିକ ବୟସର ପ୍ରତ୍ୟେକ ଭାରତୀୟ, ଯିଏ ଅଣ-ବାସିନ୍ଦା, ମାନସିକ ବିକୃତି, ଅପରାଧ କିମ୍ବା ଦୁର୍ନୀତିମୂଳକ ଅଥବା ବେଆଇନ କାର୍ଯ୍ୟ ଆଧାରରେ ସମ୍ବିଧାନ କିମ୍ବା ଉପଯୁକ୍ତ ବିଧାନମଣ୍ଡଳ ଦ୍ୱାରା ପ୍ରଣୀତ କୌଣସି ଆଇନ ଅନୁଯାୟୀ ଅଯୋଗ୍ୟ ଘୋଷିତ ହୋଇନାହାନ୍ତି, ସେ ଯେକୌଣସି ନିର୍ବାଚନରେ ଭୋଟର ଭାବରେ ପଞ୍ଜୀକୃତ ହେବାର ଅଧିକାର ପାଇବେ। ଏହି ନିର୍ଦ୍ଦେଶ ଏବକାର ନିର୍ବାଚନ ଆୟୋଗଙ୍କ ପାଇଁ ଏକ ପରାମର୍ଶ ଭଳି ପ୍ରତୀତ ହେଉଛି। ନିଃସନ୍ଦେହରେ, ସରକାରଙ୍କ ଆଦେଶରେ ଆୟୋଗ ଧରି ନେଇଥିଲେ ଯେ, ଅନେକ କୋଟି ଲୋକଙ୍କୁ ଅଯଥାରେ ମାନସିକ ନିର୍ଯାତନା ଦେବା ପାଇଁ ଆରମ୍ଭ କରାଯାଇଥିବା ପ୍ରକ୍ରିୟା ବିନା ବାଧାରେ ଚାଲିବ। ସମୀକ୍ଷା କଲେ ଜଣାଯାଏ, ଗତ ୪ ସପ୍ତାହ ମଧ୍ୟରେ ଆୟୋଗ ଅନେକ ଥର ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି କିମ୍ବା ସ୍ପଷ୍ଟୀକରଣ ଜାରି କରିଛନ୍ତି ଏବଂ ଅନେକ ପଦକ୍ଷେପ ମଧ୍ୟ ନେଇଛନ୍ତିି। ଏଥିରେ ରହିଛି ପୂର୍ବରୁ ଚାଲିଥିବା ସ୍ବତନ୍ତ୍ର ଭୋଟର ବଞ୍ଚତ୍ତକରଣ ଅଭିଯାନରେ ବାଦ୍‌ ପଡ଼ିଥିବା ଲୋକଙ୍କୁ ପୁନର୍ବାର ସାମିଲ କରିବା ପାଇଁ ଏକ ‘ସ୍ବତନ୍ତ୍ର ପଞ୍ଜୀକରଣ ଅଭିଯାନ’। ଆଉ ମଧ୍ୟ ରହିଛି କେତେକ ଲୋକଙ୍କ ପାଇଁ ଏକ ଘୋଷଣାପତ୍ର ଦାଖଲ କରିବାର ସର୍ତ୍ତ ହଟାଇବା, ଅନ୍ୟ କେତେକଙ୍କୁ ବ୍ୟକ୍ତିଗତ ଭାବରେ ଉପସ୍ଥିତ ରହିବାରୁ ଛାଡ଼ ଦେବା, ତ୍ରୁଟିପୂର୍ଣ୍ଣ ସଫ୍ଟଓ୍ବେର ସମୀକ୍ଷା କରିବା ଏବଂ ଭୋଟର (ମୁଖ୍ୟତଃ ମୁସଲମାନ)ଙ୍କ ବିରୋଧରେ ତୃତୀୟ ପକ୍ଷର ବ୍ୟକ୍ତିମାନେ ଆପତ୍ତି ଦାଖଲ କରିବା ଧାରାକୁ ସୀମିତ କରିବା; ଯଦିଓ ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇନାହିଁ। ଏହାପରେ ରହିଛି ସର୍ଚ୍ଚ କରିହେବା ଭଳି ଭୋଟର ତାଲିକା ପ୍ରଚଳନ କରିବା। ଏତେଦିନ ଧରି ଏପରି ତାଲିକା ଦେବାକୁ ବିରୋଧ କରାଯାଉଥିଲା, ଯାହାର ଏକମାତ୍ର ଉଦ୍ଦେଶ୍ୟ ଥିଲା ସ୍ବଚ୍ଛତାକୁ ଏଡ଼ାଇବା। ଏବେ ଘରୋଇ ବିଦ୍ୟାଳୟର ଶିକ୍ଷକଙ୍କୁ ଏହି କାମରେ ନିୟୋଜିତ କରାଯାଉଛି, ଯାହାକୁ ପୂର୍ବରୁ ସରକାରୀ କର୍ମଚାରୀମାନେ କରୁଥିଲେ। ଯେଉଁ ଗତିରେ ଏହି ପଦକ୍ଷେପଗୁଡ଼ିକ ନିଆଯାଉଛି, ତାହା ଭୟ ସୃଷ୍ଟି କରୁଛି। ନିଷ୍ପତ୍ତି ନେବା ସମୟରେ ନିର୍ବାଚନ ଆୟୋଗର ଅଧିକାଂଶ ସଦସ୍ୟଙ୍କ ମତକୁ ଅଣଦେଖା କରାଯିବା ବିଷୟ ସାମ୍ନାକୁ ଆସିଛି। ତେବେ ଏହି ସଂଶୋଧନ, ପ୍ରତ୍ୟାହାର ଏବଂ ସମୀକ୍ଷାଗୁଡ଼ିକ ଅବ୍ୟବସ୍ଥାକୁ ଦୂର କରିପାରିବ ନାହିଁ। ଏବେ ନାଗରିକମାନେ ଅନେକ ଶ୍ରେଣୀରେ ବିଭକ୍ତ ହୋଇସାରିଛନ୍ତି। କିଛି ଭୋଟର ଅଛନ୍ତି, କେତେକଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ଦିଆଯାଇଛି, କିଛି ଆବେଦନ କରିଛନ୍ତି, କେତେକେ ନିଜ ସ୍ଥିତି ବିଷୟରେ ଜାଣିନାହାନ୍ତି, କେତେକେ ଏହା ବିଷୟରେ ଆଦୌ ଚିନ୍ତିତ ନୁହନ୍ତି ଏବଂ ଅନେକେ ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଏହି ଅବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନ କରି ଅନ୍ୟ କୌଣସି ଉପାୟରେ ସମାଧାନ କରାଯାଇପାରିବ ନାହିଁ। ଦୁଃଖର କଥା, ଏବେ କେତୋଟି ନିର୍ବାଚନ ହୋଇସାରିଥିବାରୁ ଏହି ପଦକ୍ଷେପ ମଧ୍ୟ ନିର୍ବାଚନ ବୈଧତାକୁ ନେଇ ସମସ୍ୟା ସୃଷ୍ଟି କରିବ; ଉଦାହରଣ ସ୍ବରୂପ ପଶ୍ଚିମବଙ୍ଗରେ ଏହା ଏକ ବଡ଼ ପ୍ରଶ୍ନ ହୋଇପାରେ।
ଆମ ପାଖରେ ଥିବା ଦ୍ୱିତୀୟ ଗଣତାନ୍ତ୍ରିକ ମାଧ୍ୟମ ହେଉଛି ଅଦାଲତ। ସମ୍ବିଧାନର ଧାରା ୩୨ ସୁନିଶ୍ଚିତ କରେ, ମୌଳିକ ଅଧିକାରର ସୁରକ୍ଷା ପାଇଁ ଅଦାଲତର ଦ୍ୱାରସ୍ଥ ହେବା ଆମର ଅଧିକାର। ଏଥିରେ ଅଦାଲତକୁ ଯିବାର ସ୍ବାଧୀନତା ଉପରେ ଗ୍ୟାରେଣ୍ଟି ଦିଆଯାଇଛି। ହେଲେ ମାମଲାର ଶୁଣାଣି ପ୍ରକ୍ରିୟାରେ ଯାହାସବୁ ଘଟେ, ତାହା ପ୍ରତିଦିନ ଦେଖୁଛୁ। ଦେଶର ଶ୍ରେଷ୍ଠ ଓକିଲମାନେ ସ୍ଥିତି ବିଷୟରେ ମଧ୍ୟ ସୂଚନା ଦେଇସାରିଛନ୍ତି। ନିର୍ବାଚନ ଆୟୋଗ ଓ ନ୍ୟାୟ ବ୍ୟବସ୍ଥାରେ ଅବକ୍ଷୟ ଦେଖିବାକୁ ମିଳିଛି। ତୃତୀୟ ଗଣତାନ୍ତ୍ରିକ ସାଧନ ହେଉଛି ପ୍ରତିବାଦ ଏବଂ ଏହା ଉପରେ ଆମର ନିୟନ୍ତ୍ରଣ ଅଛି। ସରକାର ଭୋଟ ହେରଫେର କରିପାରନ୍ତି। ନ୍ୟାୟିକ ବ୍ୟବସ୍ଥା କାର୍ଯ୍ୟପାଳିକା ସ୍ବାର୍ଥରକ୍ଷା ପାଇଁ ଆମକୁ ହଇରାଣ କରିପାରେ। କିନ୍ତୁ ଆମ ଉପରେ ଜୋରଜବରଦସ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଷ୍ଟକର, ଯଦିଓ ଚେଷ୍ଟା କରୁଛନ୍ତି। ସରକାରଙ୍କ ମନମୁଖି ଶାସନକୁ ରୋକିବା ପାଇଁ ପ୍ରତିବାଦ ହେଉଛି ସବୁଠାରୁ ପ୍ରଭାବଶାଳୀ ଅସ୍ତ୍ର। ସେଥିପାଇଁ ସରକାର ଏହାକୁ ଦମନ କରିବା, ସୀମିତ କରିବା ଏବଂ ତାହାର ସ୍ବରକୁ ଚାପିଦେବା ପାଇଁ ଶକ୍ତି ପ୍ରୟୋଗ କରିଥାନ୍ତି। କୃଷି ଆଇନଗୁଡ଼ିକର କଥା ମନେପକାନ୍ତୁ। ଯେତେବେଳେ ଅନେକ ହଜାର ଭାରତୀୟ ଦିଲ୍ଲୀରେ ପହଞ୍ଚିଲେ, ସେତେବେଳେ ସେହି ଆଇନଗୁଡ଼ିକର ଭାଗ୍ୟ ନିର୍ଦ୍ଧାରିତ ହୋଇଯାଇଥିଲା। ସରକାର ଶେଷରେ ସେଗୁଡ଼ିକୁ ପ୍ରତ୍ୟାହାର କରିବାକୁ ପୂରା ଏକ ବର୍ଷ ନେଇଥିଲା। ଆନ୍ଦୋଳନରେ ଲୋକେ ଏକାଠି ହେବା ମାତ୍ରେ ସ୍ପଷ୍ଟ ହୋଇଯାଇଥିଲା ଯେ ଜନସାଧାରଣଙ୍କ ବିଜୟ ହେବ। ସବୁଠାରୁ ଆନନ୍ଦର କଥା ହେଉଛି, ଏହି ବିଜୟ କ୍ଷମାପ୍ରାର୍ଥନାରେ ଶେଷ ହୋଇଥିଲା।
ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ଆନ୍ଦୋଳନର ନେତୃତ୍ୱ ନେଇଥିବା ମୁସଲିମ ମହିଳାମାନେ ଆସାମରେ ଯାହା ଘଟିଛି ତାହା ଭାରତର ଅନ୍ୟ ସ୍ଥାନରେ ଘଟିବାକୁ ଦେଇନାହାନ୍ତି। ଏହା ସତ୍ୟ ଯେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଆମକୁ ଶେଷରେ ସେହି ସମାନ ଗନ୍ତବ୍ୟସ୍ଥଳକୁ ନେଇଯାଉଛି। କିନ୍ତୁ ସାମ୍ପ୍ରତିକ ଘଟଣାଗୁଡ଼ିକ ଦର୍ଶାଉଛି ଯେ ଅନେକ କୋଟି ଲୋକଙ୍କୁ ମତାଧିକାରରୁ ବଞ୍ଚିତ, ଅଧିକାରଚ୍ୟୁତ ଏବଂ ବନ୍ଦୀ କରି ସରକାର ଲକ୍ଷ୍ୟ ହାସଲ କରିବା ସହଜ ହେବ ନାହିଁ। ଶାନ୍ତିପୂର୍ଣ୍ଣ ସମାବେଶ (ଧାରା ୧୯) ଏକ ମୌଳିକ ଅଧିକାର। ଅନେକ ଦଶନ୍ଧି ଧରି ଏହି ସ୍ବାଧୀନତା ଉପରେ ସରକାର ଅଧିକ ହସ୍ତକ୍ଷେପ କରିଚାଲିଛନ୍ତି। ଏହି ଅବସ୍ଥା ଏବେ ମଧ୍ୟ ଜାରି ରହିଛି। ପରିସ୍ଥିତି ବଦଳିବ, ଯଦି ଆମେ ଆମର ଅଧିକାରକୁ ପୁନର୍ବାର ନିଜ ହାତକୁ ନେଇପାରିବା। ଆଜି ଦିଲ୍ଲୀର ରାସ୍ତାରେ ଯୁବତୀ ଓ ଯୁବକମାନେ ଠିକ୍‌ ସେହି କାମ ହିଁ କରୁଛନ୍ତି। ଏହା ଆମ ସମୟର ଏକ ଆଶାଜନକ ଦିଗ। ଏକ କଠୋର ଶାସନକୁ ଆମ ଯୁବପିଢ଼ିଙ୍କ ସାହସିକ ପ୍ରତିକ୍ରିୟା ଦ୍ୱାରା ଚ୍ୟାଲେଞ୍ଜ କରାଯାଇଛି।

Dharitri – Odisha’s No.1 Odia Daily