ମନ ମୋହୁଛି ଆକର୍ଷଣୀୟ ଓ୍ବାଟର ପାର୍କ

ଗଞ୍ଜାମ,୧୯ା୩(ଡି.ଏନ୍‌.ଏ.): ସଜେଇ ହେଉଛି ଗଞ୍ଜାମ ସହର। ଗଞ୍ଜାମ ସହର ଦାମୋଦରପୁରଠାରେ ପ୍ରଥମ ଥର ପାଇଁ ଶନିମନ୍ଦିରଠାରେ ଆକର୍ଷଣୀୟ ପଥରରେ ନିର୍ମିତ ଗଣେଶଙ୍କ ମୂର୍ତ୍ତି ବଡ଼ ବଜାର ଭାରତୀ ବିଦ୍ୟାପୀଠଠାରେ ରଙ୍ଗୀନ ଓ୍ବାଟର ପାର୍କ ଏବଂ ଜୟଶ୍ରୀ ଛକ ତ୍ରିବେଣୀ ମଠ ଛକଠାରେ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ସାଙ୍ଗକୁ ହରିଣ ସହରର ଶୋଭା ବଢ଼ାଉଛି। ଏହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ବାହାରୁ ଆସୁଥିବା ଲୋକେ ମଧ୍ୟ ସେଠାରେ ଘଡ଼ିଏ ଅଟକି ଯାଉଛନ୍ତି। ୧ ନଂ ଓ୍ବାର୍ଡର କରଣ ସାହି ଚାପ ବନ୍ଧ ନିକଟରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଏକ ଶିଶୁ ଉଦ୍ୟାନ ମଧ୍ୟ ନିର୍ମାଣ କରାଯାଇଛି। ପ୍ରତ୍ୟେକ ଦିନ ସନ୍ଧ୍ୟାରେ କୁନିକୁନି ପିଲାଙ୍କ ଖେଳକୁଦ ଦେଖିବାକୁ ମିଳିଛି l ପୂର୍ବରୁ ସହରରେ କୌଣସି ଗୋଟିଏ ବି ଆଖି ଦୃଶିଆ କାମ ହେଉ ନ ଥିଲା । ସହରର ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଚେଷ୍ଟା ଏବଂ ଏନ୍‌ଏସି ଇଓ ଅବିନାଶ ମିଶ୍ରଙ୍କ ନିଜସ୍ବ ଉଦ୍ୟମ ଫଳରେ ଏହା ସମ୍ଭବପର ହୋଇ ପାରିଛି ବୋଲି ମତ ପ୍ରକାଶ ପାଇଛି। ବେଶେଷକରି ଭାରତୀ ବିଦ୍ୟାପୀଠରେ ଥିବା ରଙ୍ଗୀନ ଓ୍ବାଟର ପାର୍କ ମନ ମୋହୁଛି।