ପଟ୍ଟାଙ୍ଗି,୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଗ୍ରାମଦେବୀ ମା’ଗାଙ୍ଗମାଙ୍କ ରତ୍ନ ମୁଦ ପ୍ରତିଷ୍ଠା ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି କ୍ରମେ ରତ୍ନ ମୁଦ ପ୍ରତିଷ୍ଠା କରିବା ପୂର୍ବରୁ ବ୍ଲକ୍ଠାରୁ ୨୨ କି.ମି. ଦୂର ସୁଙ୍କି ପଞ୍ଚାୟତ ଜଙ୍ଗଲର ସାହାଡ଼ା ଗଛ ନିକଟରେ ପୂଜାର୍ଚ୍ଚନା ହୋଇଥିଲା। ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଣ୍ଡା କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ। ଜଙ୍ଗଲରୁ ଏକ ପଟୁଆର ବାହାରି ପଟ୍ଟାଙ୍ଗି ବସ୍ଷ୍ଟାଣ୍ଡରେ ପହଞ୍ଚି ସେଠାରୁ ମା’ଙ୍କ ସ୍ଥାୟୀ ମନ୍ଦିରକୁ ଆସିଥିଲେ। ଏହା ପରେ ହୋମଯଜ୍ଞ ଓ ପ୍ରତିଷ୍ଠା ପୂଜାର୍ଚ୍ଚନା କରାଯାଇଥିଲା। ଶ୍ରଦ୍ଧାଳୁ ଆଣିଥିବା ଧାନ, ସୁନା, ରୂପା, ଟଙ୍କା ମା’ଙ୍କ ମନ୍ଦିର ଉପରକୁ ଉଠାଇ ସ୍ଥାପନ କରାଯାଇଥିଲା। ଏଥିରେ ମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ, ପୂର୍ବତନ ଏମ୍ପି ଜୟରାମ ପାଙ୍ଗୀ, ପୂର୍ବତନ ୨ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ, ରଘୁରାମ ପଡାଲ, ସୁନାବେଡା ଏନ୍ଏସି ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ର, ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀ ସଂଯୋଜକ ଚୈତନ୍ୟ ନନ୍ଦିବାଲି, ନିର୍ବାଚନ ମଣ୍ଡଳୀ ପ୍ରଭାରୀ ବଳରାମ ବାରିକ ପ୍ରମୁଖ ଯୋଗଦେଇଥିଲେ। ମନ୍ଦିର ମୁଖ୍ୟ ପୂଜକ ଦିଲୀପ କୁମାର ହୋତା ଓ ଅନ୍ୟ ପୂଜକମାନେ ପରିଚାଳନାରେ ସହଯୋଗ କରିଥିଲେ। ୯ ଗ୍ରାମର ମୁଖିଆ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।

