ଭିତରକନିକା, ଗହୀରମଥାକୁ ଜଗିବ ଡ୍ରୋନ

ରାଜନଗର, ୩୧।୧୨(ଡି.ଏନ.ଏ.): ପ୍ରକୃତିର ଗନ୍ତାଘର ଭିତରକନିକା ଓ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡିଶାଳ ଗହୀରମଥାର ସୁରକ୍ଷା ପାଇଁ ଡ୍ରୋନ୍‌ କ୍ୟାମେରା ଜଗିବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଫଳରେ ଭିତରକନିକାର ଆଦ୍ରଭୂମି, ହେନ୍ତାଳବଣ ଏବଂ ଏଥିରେ ବସବାସ କରୁଥିବା ଜୀବଜନ୍ତୁମାନଙ୍କର କ୍ଷତି ଘଟାଉଥିବା ଶିକାରୀମାନଙ୍କୁ ଧରିବା ପାଇଁ ଏହି ଡ୍ରୋନ କ୍ୟାମେରା ଜାଗ୍ରତ ପ୍ରହରୀ ଭାବେ କାମ କରିବ। ଏହାଛଡା ତଟାଞ୍ଚଳଠାରୁ ୨୦ କିମି ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା ନିଷିଦ୍ଧାଞ୍ଚଳକୁ ପ୍ରତିବର୍ଷ ଯୋଜନ ଯୋଜନ ସାମୁଦ୍ରିକ ପଥ ଅତିକ୍ରମ କରି ସମୂହ ଅଣ୍ଡାଦାନ ପାଇଁ ଏକତ୍ରିତ ହେଉଥିବା ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷାରେ ବାଧା ଉପୁଜାଉଥିବା ଦେଶ ବିଦେଶର ଜଳଦସ୍ୟୁ ଏବଂ ସେମାନଙ୍କ ବ୍ୟବହାର କରୁଥିବା ଟ୍ରଲରଗୁଡିକୁ ଧରିବାରେ ଏହି କ୍ୟାମେରା ପ୍ରମୁଖ ଭୂମିକା ଗ୍ରହଣ କରିବ। ଏଥିପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜନଗର ବନବିଭାଗ, ସ୍ଥାନୀୟ ପ୍ରଶାସନ ପକ୍ଷରୁ ଡ୍ରୋନ କ୍ୟାମେରା ଉଡାଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ପ୍ରକ୍ରିୟା ଆରମ୍ଭ ହୋଇଛି। ବନ ବିଭାଗକୁ ଚକମା ଦେଇ ଭିତରକନିକା ଜାତୀୟ ଉଦ୍ୟାନ ସୀମା ସରହଦରେ ବସବାସ କରୁଥିବା ପେଶାଦାର ଶିକାରୀମାନେ ଅବାଧରେ ହରିଣ, ବାର୍‌ହା ଓ ଅନ୍ୟ ଜୀବଜନ୍ତୁଙ୍କୁ ଶିକାର କରି ଏମାନଙ୍କର ମାଂସ, ଚମଡା, ଶିଙ୍ଗ ପ୍ରଭୃତି ବିଦେଶକୁ ଚାଲାଣ କରୁଥିବାରୁ ଏହି କ୍ୟାମେରା ପ୍ରଚଳନ କରାଗଲେ ସେମାନଙ୍କୁ ଧରି ପାରିବ। ଅପରପକ୍ଷରେ ଭିତରକନିକାର ଆଦ୍ରଭୂମି ଏବଂ ଜୈବ ବିବିଧତାକୁ ଅଧିକାଂଶ ସମୟରେ ପ୍ରଚୁର ଭାବେ କ୍ଷତି ଘଟାଇ ଆସୁଥିବା ଜାତୀୟ ଉଦ୍ୟାନ ସୀମା ସରହଦରେ ଗଢି ଉଠିଥିବା ବ୍ୟାପକ ବେଆଇନ ଚିଙ୍ଗୁଡି ଘେରିକୁ ମଧ୍ୟ ଚିହ୍ନଟ କରିବାରେ ସକ୍ଷମ ହେବ। ଏ ସମ୍ପର୍କରେ ରାଜନଗର ତହସିଲଦାର ଅଶ୍ୱିନୀ କୁମାର ଭୂୟଁାଙ୍କ କହିବା ଅନୁସାରେ, ଭିତରକନିକା ଆମର ଜାତୀୟ ସମ୍ପତ୍ତି, ଏହାର ଜୈବ ବିବିଧତା ଓ ଆର୍ଦ୍ରଭୂମି ଯୋଗୁ ଏଠାରେ ବସବାସ କରୁଥିବା ଖାଦ୍ୟ, ଖାଦକର ସମ୍ପର୍କ ଆମ ପରିବେଶ ପାଇଁ ଅପରିହାର୍ଯ୍ୟ ହୋଇପଡିଛି। ଭିତରକନିକାର ଜୈବ ବିବିଧତାକୁ ନଷ୍ଟ କରି ଆସୁଥିବା ବେଆଇନ ଚିଙ୍ଗୁଡି ଘେରିଗୁଡିକୁ ଚିହ୍ନଟ କରାଯିବା କ୍ଷେତ୍ରରେ ଡ୍ରୋନ କ୍ୟାମେରା ଅଧିକ ଫଳପ୍ରଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି ସେ କହିଛନ୍ତି।