Categories: ଖେଳ

ଟିମ୍‌ ଇଣ୍ଡିଆ ପାଇଁ ଖରାପ ଖବର

କୋଲକାତା,୧୭।୨: ସ୍ଥାନୀୟ ଇଡେନ ଗାର୍ଡେନ୍ସଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବୁଧବାର ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ବିଜୟ ହାସଲ କରିଛି। କିନ୍ତୁ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଦୁଇ ଖେଳାଳି ଆହତ ହୋଇଛନ୍ତି। ସେମାନେ ହେଲେ ଦୀପକ ଚହର ଓ ଭେଙ୍କଟଶ ଆୟାର। ତେବେ ଦୁଇ ଖେଳାଳିଙ୍କ ଆହାତ ସମସ୍ୟା କେତେ ଗୁରୁତର, ତାହା ଜାଣିବା ପାଇଁ ସ୍କାନ କରାଯାଇଛି। ରିପୋର୍ଟ ଆସିବା ପରେ ସିରିଜ୍‌ର ପରବର୍ତ୍ତୀ ମ୍ୟାଚ୍‌ ଲାଗି ସେମାନେ ଉପଲବ୍ଧ ହୋଇପାରିବେ କି ନାହିଁ ଜଣାପଡ଼ିବ।

ଫିଲ୍ଡିଂ କରୁଥିବା ଦୀପକ ପ୍ରତିପକ୍ଷ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡଙ୍କ ଏକ ଶକ୍ତିଶାଳୀ ଶଟ୍‌କୁ ରୋକିବାକୁ ଉଦ୍ୟମ କଲା ବେଳେ ଆହତ ହୋଇଥିଲେ। ତାଙ୍କ ହାତରେ ଆଘାତ ଲାଗିଥିଲା। ଏଥିଯୋଗୁ ସେ ତାଙ୍କ ୪ ଓଭର ବୋଲିଂ କରିପାରି ନ ଥିଲେ। ଫଳରେ ଅନ୍ତିମ ଓଭର ବୋଲିଂ କରିଥିଲେ ହର୍ଶଲ ପଟେଲ। ଚହର ୩ ଓଭରରେ ୨୮ ରନ୍‌ ଖର୍ଚ୍ଚ କରି ୧ ଉଇକେଟ ନେଇଥିଲେ।

ସେହିଭଳି ଆହତ ହୋଇଛନ୍ତି ପେସ ବୋଲିଂ ଅଲରାଉଣ୍ଡର ଭେଙ୍କଟଶ ଆୟାର। ସେ ମ୍ୟାଚ୍‌ରେ ଗୋଟିଏ ଓଭର ବୋଲିଂ କରି ଓ୍ବେଷ୍ଟଇଣ୍ଡିଜ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। ୧୭ତମ ଓଭରରେ ପୋଲାର୍ଡଙ୍କ ଏକ ଶଟ୍‌କୁ ରୋକିବାକୁ ଉଦ୍ୟମ କଲା ବେଳେ ଭେଙ୍କଟଶଙ୍କ ଡାହାଣ ହାତରେ ଆଘତ ଲାଗିଥିଲା।

Share