ନୂଆଦିଲ୍ଲୀ,୧୩।୧୦: ଦେଶରେ ପନିପରିବାଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦର ବେଳକୁ ବେଳ ମହଙ୍ଗା ହେଉଥିବାରୁ ମୁଦ୍ରାସ୍ପୀତି ରୋକର୍ଡ ସ୍ତରରେ ପହଞ୍ଚିଲାଣି । ଗତ ଅଗଷ୍ଟରେ ଖଚୁରା ମୁଦ୍ରାସ୍ଫୀତି ହାର ୪.୮୩ ପ୍ରତିଶତ ରହିଥିଲାବେଳେ ସେପ୍ଟେମ୍ବରରେ ଏଥିରେ ପୁଣି ୦.୭୨ ପ୍ରତିଶତ ବୃଦ୍ଧି ଘଟି ଏହା ୫.୫୪ ପ୍ରତିଶତ ଛୁଇଁଛି ବୋଲି ସୋମବାର ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି । ଯାହାକି ଗତ ୨୨ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ରିପୋର୍ଟ ତଥ୍ୟ ଅନୁଯାୟୀ, ବିଭିନ୍ନ କିସମର ଖାଦ୍ୟସାମଗ୍ରୀ ମୂଲ୍ୟରେ ତୀବ୍ର ବୃଦ୍ଧି ଯୋଗୁ ହାରାହାରି ଭାବେ ଖାଉଟି ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଉପଭୋକ୍ତା ଖାଦ୍ୟ ମୂଲ୍ୟ ସୂଚକାଙ୍କ (ସିଏଫ୍ପିଆଇ) ଅନୁଯାୟୀ ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ହାର ୫.୯୭ ପ୍ରତିଶତ ରହିଥିଲା। କିନ୍ତୁ ସେପ୍ଟେମ୍ବରରେ ଏହା ୭.୭୪% କୁ ବୃଦ୍ଧି ପାଇଛି। ପିଆଜ, ଅଦା, ରସୁଣ, ଲେମ୍ବୁ ଏବଂ ଟମାଟୋ ଭଳି କେତେକ ଅତ୍ୟାବଶ୍ୟକ ପରିବା ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିବାରୁ ହାରାହାରି ଭାବେ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି।
ସଂଶୋଧିତ ୨୦୨୪ ବର୍ଷକୁ ଆଧାର କରି ଗଣନା କରାଯାଇଥିବା ସର୍ବଶେଷ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ତଥ୍ୟରୁ ଜଣାପଡିଛି ଯେ, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ଅଧିକ ରହିଛି। ଗ୍ରାମୀଣ ମୁଦ୍ରାସ୍ଫୀତି ଅଗଷ୍ଟରେ ୫.୨୪ ପ୍ରତିଶତ ରହିଥିବାବେଳେ ସେପ୍ଟେମ୍ବରରେ ଏହା ୬.୦୮ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସହରାଞ୍ଚଳ ମୁଦ୍ରାସ୍ଫୀତି ୪.୩୧ ପ୍ରତିଶତରୁ ୪.୮୮ ପ୍ରତିଶତକୁ ବୃଦ୍ଧି ପାଇଛି। ସେହିପରି ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୦୬ ପ୍ରତିଶତ ରହିଥିଲାବେଳେ ସହରାଞ୍ଚଳରେ ଏହା ୭.୧୮% ଥିଲା। ତେବେ ହାରାହାରି ଭାବେ ଖାଦ୍ୟ ସାମଗ୍ରୀ ଏବଂ କେତେକ ଅତ୍ୟାବଶ୍ୟକ ସାମଗ୍ରୀର ଲଗାତର ମୂଲ୍ୟବୃଦ୍ଧି ଖାଉଟିମାନଙ୍କ ଚିନ୍ତା ବଢାଇଛି। ଆଗକୁ ପାର୍ବଣ ଆସୁଥିବାରୁ ମହଙ୍ଗା ଦରକୁ ନେଇ ସାଧାରଣ ଖାଉଟିଙ୍କ ଉପରେ ଅତିରିକ୍ତ ବୋଝ ପଡ଼ିବା ଆଶଙ୍କା ଦେଖାଦେଇଛି।
ବିଭିନ୍ନ ସାମଗ୍ରୀ ମଧ୍ୟରେ ପିଆଜ ଦରରେ ୧୦୮ ପ୍ରତିଶତ ବୃଦ୍ଧି ଘଟିଛି। ଅଗଷ୍ଟରେ ପିଆଜ ମୁଦ୍ରାସ୍ଫୀତି ୪୮.୭୮% ଥିବାବେଳେ ସେପ୍ଟେମ୍ବରରେ ଏହା ୧୦୮.୦୯%କୁ ବୃଦ୍ଧି ପାଇଛି। ସେହିପରି ଅଦା ଦର ୬୨.୮୫%, ରସୁଣ ୫୪.୬୨% ଏବଂ ଲେମ୍ବୁ ୩୬.୪୧% ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀ ବ୍ୟତୀତ ସେପ୍ଟେମ୍ବରରେ ରେଷ୍ଟୁରାଣ୍ଟ ଏବଂ ହୋଟେଲ ରହଣି, ପରିବହନ, ପୋଷାକ ଏବଂ ଜୋତା-ଚପଲ ମୂଲ୍ୟ ମଧ୍ୟ ବୃଦ୍ଧି ଘଟିଛି।