Categories: ବାଣିଜ୍ୟ

ଶିଳ୍ପ ଉତ୍ପାଦନ ୮ ମାସର ସର୍ବୋଚ୍ଚ ସ୍ତରରେ

ନୂଆଦିଲ୍ଲୀ: ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ଅକ୍ଟୋବର ମାସରେ ୮ ମାସର ସର୍ବୋଚ୍ଚ ସ୍ତର ୩.୬% ରହିଛି। ଲଗାତର ଦ୍ୱିତୀୟ ମାସ ଲାଗି ଏଭଳି ଅଭିବୃଦ୍ଧି ଦେଖାଯାଇଛି। ମାନୁଫାକ୍‌ଚରିଂ ଉନ୍ନତି, ପାର୍ବଣ ଚାହିଦା ବୃଦ୍ଧି, କଞ୍ଜ୍ୟୁମର ଡ୍ୟୁରେବଲ୍ସ କ୍ଷେତ୍ର ଏବଂ ବିଦ୍ୟୁତ୍‌ ଚାହିଦା ବଢ଼ିବା ଯୋଗୁ ଏଭଳି ସ୍ଥିତି ପରିବର୍ତ୍ତନ ହୋଇଛି। ଲକ୍‌ଡାଉନ ପରେ ସ୍ଥିତିରେ ଉନ୍ନତି ଆସୁଥିବା ଏଭଳି ଡାଟା ଆଭାସ ଦେଉଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନ୍‌ଏସ୍‌ଓ) ପକ୍ଷରୁ ଶୁକ୍ରବାର ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) ଡାଟା ସାମ୍ନାକୁ ଆସିଛି। ଏହା ସେପ୍ଟେମ୍ବର ମାସରେ ୦.୫% ରହିଥିବା ବେଳେ ଅକ୍ଟୋବରରେ ୩.୬%କୁ ବଢିଛି। ଗତ ବର୍ଷ ଅକ୍ଟୋବରରେ ଆଇଆଇପି ୬.୬% ହ୍ରାସ ହୋଇଥିଲା। ଚଳିତ ବର୍ଷ ଏପ୍ରିଲ ମାସରୁ ଅକ୍ଟୋବର ମଧ୍ୟରେ ଆଇଆଇପି କଥା ବିଚାରକଲେ ଏହା ୧୭.୫% ହ୍ରାସ ପାଇଛି। ଏହା ଗୋଟିଏ ବର୍ଷ ତଳେ ସମାନ ସମୟରେ ୦.୧% ନିମ୍ନରେ ରହିଥିଲା। ଲକ୍‌ଡାଉନ ଯୋଗୁ ଦେଶର ମାନୁଫାକଚରିଂ କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଥିଲା। ଅକ୍ଟୋବରରେ ଏହା ୩.୫% ବଢିଛି। ଗୋଟିଏ ବର୍ଷ ତଳେ ସମାନ ସମୟରେ ଏହା ୫.୭% ଖସିଥିଲା। ସେହିଭଳି ଚଳିତ ବର୍ଷ ଅକ୍ଟୋବରରେ ବିଦ୍ୟୁତ୍‌ କ୍ଷେତ୍ର ୧୧.୨% ବଢିଛି। ଏହା ଗତ ବର୍ଷ ଅକ୍ଟୋବରରେ ୧୨.୨% ଖସିଥିଲା। ପାର୍ବଣ ଯୋଗୁ କଞ୍ଜ୍ୟୁମର ଡ୍ୟୁରେବଲ୍ସ ୧୭.୬% ବଢିଛି। ଏହି ସମୟରେ ଅଣ କଞ୍ଜ୍ୟୁମର ଡ୍ୟୁରେବଲ୍ସ କ୍ଷେତ୍ରରେ ୭.୫% ବୃଦ୍ଧି ଘଟିଥିବା ନଜରକୁ ଆସିଛି।

Share