ଇନ୍ଦୋର: ସ୍ବଚ୍ଛ ଭାରତର ଦୁଃଖ

ମଧ୍ୟପ୍ରଦେଶର ଇନ୍ଦୋର ସହରରେ ପ୍ରଦୂଷିତ ଜଳ ପିଇ ଜାନୁଆରୀ ମାସରେ ୧୦ ଜଣ ବ୍ୟକ୍ତିଙ୍କର ପ୍ରାଣହାନି ଘଟିବା ସହ ବହୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ। ଏହି ଘଟଣା ପରିପ୍ରେକ୍ଷୀରେ ସରକାର ଇନ୍ଦୋର ମହାନଗର ନିଗମ କମିଶନରଙ୍କୁ ବଦଳି ଓ ଅତିରିକ୍ତ କମିଶନରଙ୍କୁ ନିଲମ୍ବିତ କଲେ। ଅଘଟଣଟି ଦେଶବ୍ୟାପୀ ହଇଚଇ ସୃଷ୍ଟି କଲା। ଏହା ହେବା ମଧ୍ୟ ସ୍ବାଭାବିକ। କାରଣ ଇନ୍ଦୋର ମଧ୍ୟପ୍ରଦେଶର ବ୍ୟବସାୟିକ ରାଜଧାନୀ। ଏହା ଏକ ମହାନଗର ନିଗମ। ଏଠାରେ ୮୫ଟି ୱାର୍ଡ ରହିଛି। ସହରର ଜନସଂଖ୍ୟା ୩୦ ଲକ୍ଷ ଛୁଇଁବାକୁ ଯାଉଛି। ଇନ୍ଦୋର ଭାରତର ଅନ୍ୟତମ ‘ସ୍ମାର୍ଟ ସିଟି’। ଲଗାତର ୮ମ ବର୍ଷ ପାଇଁ ଦେଶର ନିର୍ମଳ ସହର ତାଲିକାରେ ଇନ୍ଦୋର ପ୍ରଥମ ସ୍ଥାନ ପାଇଚାଲିଛି। ଦେଶର ନିର୍ମଳତମ ସହରରେ ଦୂଷିତ ଜଳ ବ୍ୟବହାର କରି ଜନସାଧାରଣ ଯଦି ମରଣମୁହଁରେ ପଡ଼ୁଛନ୍ତି , ତା’ହେଲେ ଦେଶର ଅନ୍ୟାନ୍ୟ ସହରାଞ୍ଚଳର ଅବସ୍ଥା କ’ଣ ରହିଥିବ ତାହା ଅନୁମାନ କରାଯାଇପାରେ। ଏହି ଘଟଣା ଦେଶରେ ସ୍ବଚ୍ଛ ଭାରତ ଅଭିଯାନର ସଫଳତା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଚାର ଓ ବାସ୍ତବତା ମଧ୍ୟରେ ଦେଶରେ ଅନେକ ଫରକ ରହିଥିବା ଏହି ଘଟଣାରୁ ପ୍ରତୀୟମାନ ହେଉଛି।
ଜଣାପଡ଼ିଛି ଯେ, ଯେଉଁ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଲା ସେଠାରେ ଏକ ପୋଲିସ ଫାଣ୍ଡି ରହିଛି। ଫାଣ୍ଡି ଶୌଚାଳୟର ବର୍ଜ୍ୟ ଟାଙ୍କିଟି ଭୂତଳେ ଥିବା ପାନୀୟ ଜଳ ଯୋଗାଣ ପାଇପ ଲାଇନ ଉପରେ ନିର୍ମାଣ କରାଯାଇଛି। ଏହା ଏକ ଅଦ୍ଭୁତ ବିଷୟ। ଏ ପ୍ରକାର ନିର୍ମାଣ କେଉଁ ଠିକାଦାର କରିଥିଲେ ଏବଂ କେଉଁ ଯନ୍ତ୍ରୀ ଅନୁମୋଦନ କରିଥିଲେ ତାହା ପ୍ରଥମେ ଲୋକଲୋଚନକୁ ଆସିବା ଦରକାର।
ଏବେ ଓଡ଼ିଶା ପ୍ରସଙ୍ଗକୁ ଆସିବା। ୨୦୨୫ ଜୁନ ମାସରେ ଯାଜପୁର ଜିଲାର ଦାନଗଦି, କୋରେଇ, ଯାଜପୁର ରୋଡ୍‌, ଦଶରଥପୁର, ରସୁଲପୁର ଓ ବ୍ୟାସନଗର ମ୍ୟୁନିସିପାଲିଟିରେ ହଇଜା ଓ ଝାଡ଼ାବାନ୍ତିରେ ୨୪ ଜଣ ବ୍ୟକ୍ତିଙ୍କ ଜୀବନ ଗଲା ଓ ଶତାଧିକ ଆକ୍ରାନ୍ତ ହେଲେ। ସେହିବର୍ଷ ପୁରୀ ଜିଲା କଣାସ ବ୍ଲକରେ ହଇଜା ବ୍ୟାପି ୭ ଜଣ ପ୍ରାଣ ହରାଇଥିବା ବେଳେ ଶତାଧିକ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ନିମନ୍ତେ ଇତିମଧ୍ୟରେ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ୨୦୨୩ ମସିହାରେ ରାଉରକେଲା ସହରରେ ହଇଜା ଦେଖାଦେଲା। ଶତାଧିକ ଆକ୍ରାନ୍ତ ହେଲେ। ପାନୀୟ ଜଳ ସଂକ୍ରମଣ ଯୋଗୁ ଏହା ଘଟିଲା। ଆଇସିଏମ୍‌ଆର୍‌ ନମୁନା ପରୀକ୍ଷଣରୁ ଜଣାପଡ଼ିଲା ଯେ, ପାନୀୟ ଜଳରେ ଭାଇବ୍ରିଓ କଲେରା ଓ ଇ କୋଲି ଜୀବଣୁ ରହିଥିଲା। ଉଲ୍ଲେଖଯୋଗ୍ୟ ଯେ, ରାଉରକେଲା ଦେଶର ଅନ୍ୟତମ ସ୍ମାର୍ଟ ସିଟି। ସେହିପରି ୨୦୨୨ ଜୁଲାଇରେ ଝାଡ଼ାବାନ୍ତି ରୋଗରେ ରାୟଗଡ଼ା ଜିଲାରେ ୧୧ ଜଣ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିଲା। ସେହି ସମୟରେ କୋରାପୁଟ, ନୂଆପଡ଼ା ଓ ନବରଙ୍ଗପୁରରେ ମଧ୍ୟ ଜଣେ ଲେଖାଏ ବ୍ୟକ୍ତିଙ୍କ ପ୍ରାଣହାନି ଘଟିଥିଲା। କଟକ ସହରର ନାଳ ନର୍ଦ୍ଦମା ଓ ଅସ୍ବଚ୍ଛ ପରିବେଶ ସମ୍ପ୍ରତି ଓଡ଼ିଶା ହାଇକୋର୍ଟ ହେପାଜତରେ ରହିଛି। ଏହି ମାମଲାର ଶୁଣାଣି ହାଇକୋର୍ଟ ନିୟମିତ କରୁଛନ୍ତି ଓ ଆବଶ୍ୟକ ଅନୁଯାୟୀ ନିର୍ଦ୍ଦେଶ ଦେଉଛନ୍ତି। ଗତ କିଛି ଦିନ ତଳେ ଖୋର୍ଦ୍ଧାସ୍ଥିତ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣାଧୀନ ଜବାହର ନବୋଦୟ ବିଦ୍ୟାଳୟରେ ୪୦ ଜଣ ଛାତ୍ର କାମଳ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ନିଜନିଜ ଘରକୁ ପଠାଇ ଦିଆଯାଇଥିଲା।
ନୀତି ଆୟୋଗର ପୂର୍ଣ୍ଣାଙ୍ଗ ଜଳ ପରିଚାଳନା ସୂଚକାଙ୍କ -୨୦୧୮ ଅନୁଯାୟୀ ବିଶ୍ୱର ୧୨୨ ଦେଶ ମଧ୍ୟରୁ ଜଳ ସୂଚକାଙ୍କରେ ଭାରତର ସ୍ଥାନ ହେଉଛି ୧୨୦। ଅର୍ଥାତ୍‌ ଦେଶର ୭୦% ଜଳରାଶି ପ୍ରଦୂଷିତ। ମହାତ୍ମା ଗାନ୍ଧୀଙ୍କ ନାମ ନେଇ ୨୦୧୪ ଅକ୍ଟୋବର ୨ରୁ ବହୁ ଆଡ଼ମ୍ବର ସହକାରେ ଦେଶରେ ଆରମ୍ଭ ହୋଇଥିଲା ସ୍ବଚ୍ଛ ଭାରତ (ଗ୍ରାମୀଣ ଓ ସହରାଞ୍ଚଳ) ମିଶନ । ଏହାର ଉଦ୍ଦେଶ୍ୟ ଥିଲା ଦେଶ ସମ୍ପୂର୍ଣ୍ଣ ଭାବେ ଉନ୍ମୁକ୍ତ ମଳତ୍ୟାଗରହିତ ଅଞ୍ଚଳ ହେବ। ସହରାଞ୍ଚଳ କଠିନ ବର୍ଜ୍ୟଶୂନ୍ୟ ହେବ। ଏହି ଯୋଜନାରେ ଗ୍ରାମାଞ୍ଚଳରେ ଶୌଚାଳୟ ନିର୍ମାଣ ପାଇଁ ସରକାର ପଦକ୍ଷେପ ଗ୍ରହଣ କଲେ। ସରକାର ଇତିମଧ୍ୟରେ ଦେଶରେ ୬ ଲକ୍ଷ ଗ୍ରାମକୁ ଖୋଲା ମଳତ୍ୟାଗ ରହିତ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ଏହା ସରକାରୀ ପରିସଂଖ୍ୟାନ ବା ଦାବି ହୋଇପାରେ, ବାସ୍ତବତା ଉପର ବର୍ଣ୍ଣିତ ସ୍ଥାନଗୁଡ଼ିକରୁ ଜଳଜଳ ହୋଇ ଜଣାପଡ଼ୁଛି। ଇନ୍ଦୋରରେ ତ ଶୌଚାଳୟ ଥିଲା ତା’ହେଲେ ପାଣି ଦୂଷିତ ହେଲା କିପରି ? କେବଳ ଶୌଚାଳୟ ନିର୍ମାଣ କରିଦେଲେ ଦେଶ ସ୍ବଚ୍ଛ ହୋଇପାରିବ ନାହିଁ। ଶୌଚାଳୟଟିଏ କ’ଣ ସ୍ବଚ୍ଛତାର ପ୍ରତୀକ ? ଶୌଚାଳୟ ଯେପରି ଅନ୍ୟ ବାହ୍ୟ ବାତାବରଣକୁ ଅସ୍ବଚ୍ଛ ନ କରିବ ସେଥିପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ, ଯାହା ଇନ୍ଦୋରରେ ଘଟିଲା। ବିଭିନ୍ନ ସ୍ଥାନରେ ଜଳ ନମୁନାରୁ ଭାଇବ୍ରିଓ କଲେରା ଓ ଇ କୋଲି ଜୀବାଣୁ ମିଳିବାର ଏକମାତ୍ର କାରଣ ହେଲା ମଳ। ଏହି ମଳ ମନୁଷ୍ୟଙ୍କର ହୋଇପାରେ ବା ପଶୁଙ୍କର। ଏହି ଜୀବାଣୁ ସାଧାରଣତଃ ଶରୀରର ଅନ୍ତନଳୀରେ ରହିଥାନ୍ତି। ତେଣୁ ଏଥିରୁ ଜଣାପଡ଼ୁଛି ଯେ ଖୋଲା ମଳତ୍ୟାଗ ଦେଶରେ ଜାରି ରହିଛି, ଯଦ୍ଦ୍ବାରା ଜଳାଶୟ ଓ ପାନୀୟ ଜଳ ଉତ୍ସ ପ୍ରଦୂଷିତ ହେଉଛି। ଓଡ଼ିଶାର ମହାନଦୀ ଓ କାଠଯୋଡ଼ି ନଦୀ ପଠା କେତେ ଖୋଲା ମଳତ୍ୟାଗ ମୁକ୍ତ ଅଞ୍ଚଳ ତାହା ପ୍ରତ୍ୟକ୍ଷ ଭାବେ ଏହି ଅଞ୍ଚଳ ପରିଭ୍ରମଣ କଲେ ଜଣାପଡ଼ିବ। କହିବାକୁ ଗଲେ ସ୍ବଚ୍ଛ ଭାରତ କେବଳ ଶୌଚାଳୟ ନିର୍ମାଣର ପରିସଂଖ୍ୟାନରେ ଅଟକି ଯାଇଛି। ଖୋଲାରେ ମଳତ୍ୟାଗ କରିବା ଅଭ୍ୟାସ ଏବେବି ଜନତାଙ୍କ ମଧ୍ୟରେ ବଳବତ୍ତର ରହିଛି। ସୁରକ୍ଷିତ ଭାବେ ମଳ ପ୍ରକ୍ରିୟାକରଣ ପାଇଁ ସରକାରୀ ସ୍ତରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ନଗରପାଳିକା ପକ୍ଷରୁ ଖୋଲାରେ ମଳ ନିଷ୍କାସନ କରାଯାଉଥିବା ଦେଖାଯାଉଛି। ପୁରୁଣା ପାଇପ ପରିବର୍ତ୍ତନ ହେଉ ନାହିଁ କି ସ୍ବରେଜ ବ୍ୟବସ୍ଥାରେ ଉନ୍ନତି କରାଯାଉ ନାହିଁ। ଏହା ସତ୍ତ୍ୱେ ୨୦୧୯ ମସିହାରେ ଦେଶକୁ କାଗଜ କଲମରେ ଖୋଲା ମଳତ୍ୟାଗ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରିଦିଆଗଲା। ବାସ୍ତବତା କିନ୍ତୁ ଭିନ୍ନ। ୨୦୨୧ ମସିହାର ଜାତୀୟ ସ୍ବାସ୍ଥ୍ୟ ସର୍ଭେରେ ଦେଶର ୧୯% ଜନତାଙ୍କ ନିକଟରେ ଶୌଚାଳୟ ଉପଲବ୍‌ଧ ନାହିଁ, ୨୦% ଜନସାଧାରଣ ଖୋଲାରେ ମଳତ୍ୟାଗ କରୁଥିବା ଦର୍ଶାଯାଇଛି। ବହୁ ସ୍ଥାନରେ ଶୌଚାଳୟ ଅଚଳ ହୋଇ ପଡ଼ିଲାଣି।
ଇନ୍ଦୋର ପରି ମୁମ୍ବାଇ, କୋଲକାତା, ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ, ପୁଣେ, ଭୁବନେଶ୍ୱର ଆଦି ସହରରେ କଠିନ ଆବର୍ଜନା ଏଣେତେଣେ ଗଦା ହୋଇ ପଡ଼ୁଛି। ଫଳରେ ଉଭୟ ବାୟୁ ଓ ଜଳ ପ୍ରଦୂଷିତ ହେଉଛି। ସ୍ବଚ୍ଛ ଭାରତ ଅଭିଯାନ ଇତିମଧ୍ୟରେ ୧୨ ବର୍ଷରେ ପଦାର୍ପଣ କରିଛି। ବିଭିନ୍ନ ମାର୍ଗରେ ସରକାର ଯୋଜନାକୁ ବିଜ୍ଞପିତ କରିଛନ୍ତି। ଏ ବାବଦରେ ବିପୁଳ ଟିକସ ଅର୍ଥ ବ୍ୟୟ ହୋଇଛି। ଯୋଜନାକୁ ସରକାରୀ ଗଣମାଧ୍ୟମ ଆଶାଠାରୁ ଅଧିକ ପ୍ରସାର ପ୍ରଚାର କରିଛନ୍ତି। ଏହାକୁ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ବୋଲି କୁହାଯାଇଛି। ଏଥିପାଇଁ ଗାନ୍ଧୀଙ୍କ ଚଷମାର ନକଲ ବ୍ୟବହାର କରାଯାଇଛି। ସ୍ବଚ୍ଛ ଭାରତ ନିମନ୍ତେ ୦.୫% ଅତିରିକ୍ତ ସେସ୍‌ ଜନତାଙ୍କଠାରୁ ଆଦାୟ କରାଯାଇଛି। ପରିଶେଷରେ ଇନ୍ଦୋର ଉଭା ହୋଇଛି। ତା’ହେଲେ ସରକାରୀ ବାର୍ତ୍ତା ପହଞ୍ଚିଲା କେଉଁଠି ? ନା ଏହା ସରକାରୀ କଳ ନିକଟରେ ପହଞ୍ଚତ୍ଲା ନା ସାଧାରଣ ଜନତାଙ୍କ ନିକଟରେ। ଏହା କେବଳ ଏକ ଶକ୍ତିଶାଳୀ ସ୍ଲୋଗାନ ହୋଇ ରହିଯାଇଥିବା ପରି ମନେହେଉଛି।

ସୌଭାଗ୍ୟ ସୁନ୍ଦରରାୟ
ମୋ:୯୪୩୭୨୨୯୨୩୩

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri