Categories: ବାଣିଜ୍ୟ

ଭାରତର ମୁଦ୍ରାସ୍ଫୀତି ୫%କୁ ଖସିବ: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ, ୧।୨: ଭାରତର ମୁଦ୍ରାସ୍ଫୀତି ୨୦୨୩ରେ ୫% ଏବଂ ୨୦୨୪ରେ ୪%କୁ ଖସିବ ବୋଲି ମଙ୍ଗଳବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) କହିଛି। ଆଇଏମ୍‌ଏଫ୍‌ ପକ୍ଷରୁ ଜାରି ଓ୍ବାଲର୍‌ଡ ଇକୋନୋମିକ୍‌ ଆଉଟ୍‌ଲୁକ୍‌ରେ ଦର୍ଶାଯାଇଛି ଯେ, ପ୍ରାୟ ୮୪% ଦେଶରେ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (କଞ୍ଜୁମର ପ୍ରାଇସ୍‌ ଇଣ୍ଡେକ୍ସ) ୨୦୨୨ ତୁଳନାରେ ୨୦୨୩ରେ ହ୍ରାସ ପାଇପାରେ। ଭାରତରେ ମାର୍ଚ୍ଚ ୩୧ରେ ଶେଷ ହେଉଥିବା ଚଳିତ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ୬.୮%କୁ ଖସିପାରେ। କେବଳ ଏତିକି ନୁହେଁ, ଏହି ହାର ୨୦୨୩ରେ ୫% ଏବଂ ୨୦୨୪ରେ ୪%କୁ ଖସିପାରେ ବୋଲି ଆଇଏମ୍‌ଏଫ୍‌ ଅଧୀନ ରିସର୍ଚ୍ଚ ଡିପାର୍ଟମେଣ୍ଟର ଡିଭିଜନ୍‌ ଚିଫ୍‌ ଡାନିଏଲ୍‌ ଲେଇଘ ଗଣମାଧ୍ୟମକୁ କହିଛନ୍ତି।
ଆକଳନ ଅନୁସାରେ ବୈଶ୍ୱିକ ଅଭିବୃଦ୍ଧି ୨୦୨୨ରେ ୩.୪% ରହିବା ଅନୁମାନ କରାଯାଇଥିଲା। ୨୦୨୩ରେ ଏହା ୨.୯% ରହିବ ଏବଂ ୨୦୨୪ରେ ପୁଣି ୩.୧ ପ୍ରତିଶତକୁ ବୃଦ୍ଧି ପାଇବ। ତେବେ ଭାରତକୁ ନେଇ ଅଭିବୃଦ୍ଧି ଆକଳନ ଅପରିବର୍ତ୍ତିତ ରହିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ୬.୮% ରହିବା ନେଇ ଅନୁମାନ କରାଯାଇଥିଲା। ଆଗାମୀ ଆର୍ଥିକ ବର୍ଷରେ ଏହା ୬.୧% ରହିପାରେ।

ବଢ଼ିପାରେ କରେଣ୍ଟ ଆକାଉଣ୍ଟ୍‌ ଡେଫିସିଟ୍‌

ଇକୋନୋମିକ୍‌ ସର୍ଭେରେ କୁହାଯାଇଛି ଯେ, ଗ୍ଲୋବାଲ୍‌ କୋମୋଡିଟି ପ୍ରାଇସ୍‌ ବହୁ ଉଚ୍ଚକୁ ଛୁଇଁଛି। ଏଥିଯୋଗୁ ଆଗକୁ କରେଣ୍ଟ ଆକାଉଣ୍ଟ ଡେଫିସିଟ୍‌ (ସିଏଡି) ବଢ଼ିପାରେ। କିନ୍ତୁ ଆର୍ଥିକ ଅଭିବୃଦ୍ଧିର ଗତି ଉପରେ ଏହାର ପ୍ରଭାବ ପଡ଼ିବ ନାହିଁ। ସିଏଡି ବଢ଼ିଲେ ଟଙ୍କା ଉପରେ ଡେପ୍ରିସିଏଶନ୍‌ ଚାପ ସୃଷ୍ଟି ହୋଇପାରେ।

ପିପିପିରେ ଭାରତ ତୃତୀୟ ବୃହତ୍‌ ଅର୍ଥନୀତି

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ଇକୋନୋମିକ୍‌ ସର୍ଭେରେ କୁହାଯାଇଛି ଯେ, ପର୍‌ଚେଜିଂ ପାଓ୍ବାର୍‌ ପ୍ୟାରିଟି (ପିପିପି) କ୍ଷେତ୍ରରେ ଭାରତ ହେଉଛି ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି। ଏକ୍ସଚେଞ୍ଜ ରେଟ୍‌ କ୍ଷେତ୍ରରେ ପଞ୍ଚମ ସ୍ଥାନରେ ଭାରତ ରହିଛି। ଅଧିକାଂଶ ଅର୍ଥ ବ୍ୟବସ୍ଥା ତୁଳନାରେ ଆମ ଦେଶ ଚ୍ୟାଲେଞ୍ଜଗୁଡ଼ିକୁ ମୁକାବିଲା କରିବାରେ ଅଧିକ ସଫଳ ହୋଇଛି।

Share