ଭାରତୀୟ ବୈଦେଶିକ ପଲିସିକୁ ପ୍ରଶଂସା କଲେ ଇମ୍ରାନ

ଇସ୍‌ଲାମାବାଦ୍‌,୨୦।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ରବିବାର ଭାରତ ଏବଂ ଏହାର ବୈଦେଶିକ ପଲିସିକୁ ପ୍ରଶଂସା କରିଛନ୍ତି। ପାର୍ଲାମେଣ୍ଟରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି ଇମ୍ରାନ।

ମାଲାକାଣ୍ଡଠାରେ ଏକ ରାଲିକୁ ସମ୍ବୋଧନ ଦେଇ ପୂର୍ବତନ ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ କହିଥିଲେ, ମୁଁ ଆଜି ଭାରତକୁ ପ୍ରଶଂସା କରୁଛି। ଏହା ସ୍ବାଧୀନ ବୈଦେଶିକ ପଲିସି ବଜାୟ ରଖିଛି। ଭାରତ ଏବଂ ଆମେରିକା କ୍ୱାଡ୍‌ ଆଲିଆନ୍ସର ସଦସ୍ୟ। ଏହାସତ୍ତ୍ୱେ ଭାରତ ନିଜକୁ ନିରପେକ୍ଷ କହୁଛି। ଏହି ଦେଶ ରୁଷିଆଠୁ ତେଲ ଆଣୁଛି, ଯାହା ଉପରେ ପ୍ରତିବନ୍ଧକ ଲାଗିଛି। ଭାରତର ବୈଦେଶିକ ପଲିସି ଯୋଗୁ ଏହା ସମ୍ଭବ ହୋଇପାରିଛି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନର ସଂସଦରେ ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି ବିରୋଧୀ ଗୋଷ୍ଠୀ। ଏଥିଯୋଗୁ ସେ ଆସନ୍ତା ୨୫ ତାରିଖରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି। ତାଙ୍କ ପାର୍ଟି ପିଟିଆଇର କିଛି ସଦସ୍ୟ ମଧ୍ୟ ଇମ୍ରାନଙ୍କ ବିରୋଧରେ ଭୋଟ କରିବେ ବୋଲି ବିଶ୍ୱାସ କରାଯାଉଛି।

Share