Categories: ଖେଳ

ଟିମ୍‌ ଇଣ୍ଡିଆ ପାଇଁ କ୍ଷତିରେ ପଡ଼ିପାରେ ଟି୨୦ ବିଶ୍ୱକପ୍‌

ମୁମ୍ବାଇ,୯।୧୧: ଭାରତୀୟ ଦଳ ବିଦାୟ ନେଇଥିବାରୁ ଚଳିତ ଟି୨୦ ବିଶ୍ୱକପ୍‌କୁ ଆର୍ଥିକ କ୍ଷତିକୁ ସହିବାକୁ ପଡ଼ିପାରେ। ଚଳିତ ଥର ଭଳି ୨୦୦୭ ବିଶ୍ୱକପ୍‌ରେ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା ଭାରତ। ସୌଭାଗ୍ୟବଶତଃ ଏଥର ଅଧିକ ମ୍ୟାଚ୍‌ ବାକି ନାହିଁ। ୨୦୦୭ରେ ଭାରତ ବିଦାୟ ନେବା ପରେ ୩୧ ମ୍ୟାଚ୍‌ ଖେଳାଯାଇଥିଲା। ଚଳିତ ଥର କେବଳ ଦୁଇ ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ବାକି ଅଛି। ଏହାସତ୍ତ୍ୱେ ପ୍ରସାରଣକାରୀ ଚ୍ୟାନେଲ ଓ ସ୍ପନସର୍ସ (ବିଜ୍ଞପନ)କୁ କ୍ଷତି ସହିବାକୁ ପଡ଼ିବ ବୋଲି ପୂର୍ବନୁମାନ କରାଯାଉଛି।

୨୦୦୭ରେ ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିଲା ଭାରତୀୟ ଦଳ। ଏହା କେବଳ କ୍ରିକେଟ୍‌ ଜଗତକୁ ସ୍ତବ୍ଧ କରିଦେଇଥିଲା ତାହା ନୁହେଁ ବିଶ୍ୱକପ୍‌ ଇଭେଣ୍ଟକୁ କ୍ଷତିରେ ପକାଇ ଦେଇଥିଲା। ଟିମ୍‌ ଇଣ୍ଡିଆର ଖରାପ ଦ୍ରଦର୍ଶନ କାରଣରୁ ଦର୍ଶକମାନେ ରାଗରେ ଟିଭି ବନ୍ଦ କରି ଦେଇଥିଲେ। ଫଳରେ ଟୁର୍ନାମେଣ୍ଟର ଆର୍ଥିକ ଅବସ୍ଥା ଦୋହାଲି ଯାଇଥିଲା।

ପ୍ରସାରଣକାରୀ ଚ୍ୟାଲେନର ବିଜ୍ଞାପନ ରାଜସ୍ବ ହ୍ରାସ ପାଇଥିଲା। ଆଡଭାନ୍ସରେ ବିଜ୍ଞାପନ ପାଇଁ ସ୍ଲଟ ବୁକ୍‌ କରିଥିବା କମ୍ପାନୀ ବଳକା ଟଙ୍କା ଫେରାଇ ନେବାକୁ ଉଦ୍ୟମ କରିଥିଲେ। ମୃଦପାନୀୟ କମ୍ପାନୀ ପେପ୍‌ସି ବିଜ୍ଞାପନ ପାଇଁ ପ୍ରସାରଣକାରୀ ଚ୍ୟାନେଲ ସହ କରିଥିବା ଚୁକ୍ତିରେ ପରିବର୍ତ୍ତନ ନ ହେଲେ ଟଙ୍କା ଫେରସ୍ତ ଦାବି କରିଥିଲା। କେବଳ ଏତିକି ନୁହେଁ, ଭାରତୀୟ ଦଳର ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ ଭାରତରୁ ଓ ବିଭିନ୍ନ ଦେଶର ଭାରତୀୟ ପ୍ରଶଂସକମାନେ ଟିକେଟ୍‌ କ୍ୟାନସେଲ କର ଦେଇଥିଲେ। ଫଳରେ ପ୍ରବଳ କ୍ଷତି ସହିବାକୁ ପଡ଼ିଥିଲା ଟୁର ଓ ଟ୍ରାଭେଲ୍ସ କମ୍ପାନୀକୁ।

କିନ୍ତୁ ଚଳିତ ଥର ଟୁର୍ନାମେଣ୍ଟରେ ଦୁଇ ସେମିଫାଇନାଲ ଓ ଫାଇନାଲକୁ ମିଶାଇ ୩ ମ୍ୟାଚ୍‌ ଖେଳାଯିବାର ଅଛି। ତେବେ ପ୍ରତ୍ୟେକ ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ ଓ ପାକିସ୍ତାନର ଉପସ୍ଥିତି କାରଣରୁ ଇଭେଣ୍ଟକୁ ସେତେଟା କ୍ଷତି ସହିବାକୁ ପଡ଼ିବ ନାହିଁ ବୋଲି ଆକଳନ କରାଯାଉଛି।

Share