ଦେଶରେ ବିଦ୍ୟୁତ୍‌ ସଙ୍କଟ! ବଢିଲା ଚିନ୍ତା, ୯ଟି ରାଜ୍ୟ ମାଗିଲେ ଅତିରିକ୍ତ ବିଜୁଳି

ନୂଆଦିଲ୍ଲୀ,୨୦।୧୦: ଗତ କିଛି ମାସ ମଧ୍ୟରେ ଦେଶ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ସମ୍ପର୍କିତ ସଙ୍କଟର ସାମ୍ନା କରିଥିବା ବେଳେ ଏବେ ବିଦ୍ୟୁତ୍‌ ସଙ୍କଟ ଚିନ୍ତା ବଢ଼ାଇଛି। ବର୍ଷର ଶେଷ ତ୍ରୈମାସିକ ପୂର୍ବରୁ ଦେଶରେ ବିଦ୍ୟୁତ୍‌ ଚାହିଦା ଓ ଯୋଗାଣ ମଧ୍ୟରେ ଅନ୍ତର ବଢ଼ିବାରେ ଲାଗିଛି। କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ବଢ଼ିଥିଲେ ମଧ୍ୟ ଚାହିଦା ଅନୁଯାୟୀ ଯୋଗାଣ ହୋଇପାରୁନାହିଁ। ଫଳରେ ଦେଶର ଅନେକ ରାଜ୍ୟ ଅତିରିକ୍ତ ବିଦ୍ୟୁତ୍‌ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି।

ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୬ରେ ଭାରତରେ ବିଦ୍ୟୁତ୍‌ ଅଭାବ ବଢ଼ି ୫୬ କୋଟି ୟୁନିଟ (୫୬୦ ନିୟୁତ କିଲୋୱାଟ ଆୱାର)ରେ ପହଞ୍ଚିଛି। ଅଗଷ୍ଟ ୨୦୨୩ ପରଠାରୁ ଏହା ସବୁଠାରୁ ବଡ଼ ବିଦ୍ୟୁତ୍‌ ସଙ୍କଟ ବୋଲି କୁହାଯାଉଛି।

ଦେଶର ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଛତିଶଗଡ଼ ଓ ଦିଲ୍ଲୀରେ ବିଦ୍ୟୁତ୍‌ ଅଭାବ ଦେଖାଦେଇଛି। ଚାହିଦା ପୂରଣ କରିବା ପାଇଁ ଏହି ରାଜ୍ୟଗୁଡ଼ିକ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ବିଦ୍ୟୁତ୍‌ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି। ବିଶେଷକରି ରାତି ସମୟରେ ବିଦ୍ୟୁତ୍‌ ଅଭାବକୁ ଏଡ଼ାଇବା ପାଇଁ ରାଜ୍ୟଗୁଡ଼ିକ ବିକଳ୍ପ ବ୍ୟବସ୍ଥା କରୁଛନ୍ତି।

ଦେଶରେ ବିଦ୍ୟୁତ୍‌ ସଙ୍କଟ ପଛରେ ଅନେକ କାରଣ ରହିଛି। ସେଥିମଧ୍ୟରୁ କମ ବର୍ଷା ଅନ୍ୟତମ। ବର୍ଷା କମ ହେବା ଯୋଗୁ ଜଳ ବିଦ୍ୟୁତ୍‌ ଉତ୍ପାଦନ ହ୍ରାସ ପାଇଛି। ଫଳରେ ମୋଟ ବିଦ୍ୟୁତ୍‌ ଯୋଗାଣ ଉପରେ ଚାପ ପଡ଼ିଛି।
ଅନ୍ୟପଟେ, କୋଇଲାରୁ ବିଦ୍ୟୁତ୍‌ ଉତ୍ପାଦନ ବଢ଼ିଥିଲେ ମଧ୍ୟ ଚାହିଦା ପୂରଣ କରିବା କଷ୍ଟକର ହୋଇପଡ଼ିଛି। ସେପ୍ଟେମ୍ବରରେ କୋଇଲାଭିତ୍ତିକ ବିଦ୍ୟୁତ୍‌ ଉତ୍ପାଦନ ୧୩.୩ ପ୍ରତିଶତ ବୃଦ୍ଧି ପାଇଥିଲା। କିନ୍ତୁ କୋଇଲାର ସୀମିତ ମହଜୁଦ ଏବଂ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକର ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁ ଯୋଗାଣ ପ୍ରଭାବିତ ହୋଇଛି।

ଗ୍ରିଡ ଇଣ୍ଡିଆର ତଥ୍ୟ ଅନୁଯାୟୀ, ଦେଶର ପ୍ରାୟ ୪୭ ପ୍ରତିଶତ କୋଇଲାଭିତ୍ତିକ ବିଦ୍ୟୁତ୍‌ କେନ୍ଦ୍ରରେ କୋଇଲା ମହଜୁଦ ଅତ୍ୟନ୍ତ କମ ଥିଲା। ଏହି କେନ୍ଦ୍ରଗୁଡ଼ିକରେ ନିର୍ଦ୍ଧାରିତ ଆବଶ୍ୟକତାର ଏକ-ଚତୁର୍ଥାଂଶରୁ ମଧ୍ୟ କମ କୋଇଲା ଉପଲବ୍ଧ ଥିଲା।
ଏହା ସହିତ ପାଣିପାଗରେ ପରିବର୍ତ୍ତନ ଯୋଗୁ ସାଧାରଣ ଅପେକ୍ଷା ଅଧିକ ଗରମ ଅନୁଭୂତ ହୋଇଥିଲା। ଫଳରେ କୁଲର୍‌ ଓ ଏସି ବ୍ୟବହାର ବଢ଼ିବା ସହ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଇଥିଲା। ଏହାବ୍ୟତୀତ ଚାଷଜମିରେ ଜଳସେଚନ ପାଇଁ ମଧ୍ୟ ଅଧିକ ବିଦ୍ୟୁତ୍‌ ଆବଶ୍ୟକ ହୋଇଥିଲା।
ବିଦ୍ୟୁତ୍‌ ଯୋଗାଣ ବଢ଼ାଇବା ପାଇଁ କେନ୍ଦ୍ର ସରକାର ଓ ବିଭିନ୍ନ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଛନ୍ତି। ଆବଶ୍ୟକତା ଥିବା ରାଜ୍ୟଗୁଡ଼ିକୁ ଅଧିକ ବିଦ୍ୟୁତ୍‌ ଯୋଗାଇଦେବାକୁ କେନ୍ଦ୍ର ପକ୍ଷରୁ ଉଦ୍ୟମ କରାଯାଉଛି।

 

Dharitri – Odisha’s No.1 Odia Daily

Share