Categories: ଖେଳ

ଭାରତୀୟ ମହିଳା ଭଲିବଲ୍‌ ଦଳ ଘୋଷିତ

ଭୁବନେଶ୍ୱର, ୨୦।୫: (କ୍ରୀଡ଼ା ପ୍ରତିନିଧି): ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ(କାଭା) ଚ୍ୟାଲେଞ୍ଜ୍‌ କପ୍‌ ମହିଳା ଭଲିବଲ ଚାମ୍ପିୟନଶିପ୍‌ ନେପାଳର କାଠମାଣ୍ଡୁରେ ଚଳିତ ମାସ ୨୨ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ଭାରତୀୟ ମହିଳା ଭଲିବଲ ଦଳ ଘୋଷଣା କରାଯାଇଛି। ଏଥିରେ କେରଳରୁ ୬, ରେଲଓ୍ବେରୁ ୫ ଏବଂ ଓଡ଼ିଶା, ପଶ୍ଚିମବଙ୍ଗ ଓ ହିମାଚଳ ପ୍ରଦେଶରୁ ଜଣେ ଲେଖାଏ ଖେଳାଳି ସ୍ଥାନ ପାଇଛନ୍ତି। ଓଡ଼ିଶାର ଅନନ୍ୟା ଦାସ ଖେଳାଳି ଓ ସୁଧାଂଶୁ ଭୂଷଣ ମିଶ୍ର ମ୍ୟାନେଜରଭାବେ ଦଳରେ ସାମିଲ ହୋଇଛନ୍ତି। ଭଲିବଲ୍‌ ଫେଡେରେଶନ୍‌ ଅଫ୍‌ ଇଣ୍ଡିଆ (ଭିଏଫ୍‌ଆଇ) ସଭାପତି ତଥା କାଭା ବୋର୍ଡର ପ୍ରଶାସନିକ ସଦସ୍ୟ ଅଚ୍ୟୁତ ସାମନ୍ତ ଫାଇନାଲ ମ୍ୟାଚର ପ୍ରତ୍ୟକ୍ଷଦର୍ଶୀ ହେବାସହ ପୁରସ୍କାର ବିତରଣୀ ଉତ୍ସବରେ ସାମିଲ ହେବା କାର୍ଯ୍ୟକ୍ରମ ରହିଛି। କାଠମାଣ୍ଡୁ ଟୁର୍ନାମେଣ୍ଟ ପରେ ଭାରତୀୟ ଦଳ ଇଣ୍ଡୋନେସିଆର ପୂର୍ବ ଜାଭାସ୍ଥିତ ଗ୍ରେସିଆଠାରେ ୪ର୍ଥ ଏଭିସି ମହିଳା ଚ୍ୟାଲେଞ୍ଜରରେ ଅଂଶଗ୍ରହଣ କରିବ। ଏହା ଜୁନ୍‌ ୧୮ରୁ ୨୮ ପର୍ଯ୍ୟନ୍ତ ଚାଲିବ। ଆଗାମୀ ସମ୍ମାନଜନକ ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭିଏଫ୍‌ଆଇ ଓଡ଼ିଶା ଭଲିବଲ ଆସୋସିଏଶନକୁ କୋଚିଂ କ୍ୟାମ୍ପ ପାଇଁ ଅନୁମତି ପ୍ରଦାନ କରିଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୪ ଜଣ ଖେଳାଳିଙ୍କୁ ନେଇ କିଟ୍‌ ବିଶ୍ୱବିଦ୍ୟାଳୟସ୍ଥିତ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମରେ ଗତ ୨ ତାରିଖରେ କୋଚିଂ କ୍ୟାମ୍ପ ଆରମ୍ଭ ହୋଇଥିଲା। ଏଥିରୁ ୧୪ ଖେଳାଳିଙ୍କ ସମେତ ୩ ଅଫିସିଆଲ ମନୋନୀତ ହୋଇ ଭୁବନେଶ୍ୱରରୁ କାଠମାଣ୍ଡୁ ଯାତ୍ରା କରିଛନ୍ତି।
ଭାରତୀୟ ଦଳ
ନିର୍ମାଲ (ଅଧିନାୟିକା), ଜିନ୍‌ସି ଜନସନ, ଆଞ୍ଜେଲ ଜୋସେଫ, ଏସ. ଶାଲିନି, ଅଶ୍ୱିନୀ କେ., ମାୟା ଥୋମାସ, ଅନୁଶ୍ରୀ କେ.ପି., ସୂର୍ଯ୍ୟା ଏସ୍‌., ଜିନି କେ.ଏସ., ଶିଳ୍ପା ଆର.ଏସ୍‌., ପ୍ରେରଣା ପାଲ, ହେମଲତା, ଅଶ୍ୱଥୀ ଆର. (ଲିବେରୋ), ଅନନ୍ୟା ଦାସ (ଲିବେରୋ)। ମ୍ୟାନେଜର: ସୁଧାଂଶୁ ଭୂଷଣ ମିଶ୍ର, ମୁଖ୍ୟ କୋଚ୍‌: ପ୍ରୀତମ୍‌ ସିଂ ଚୌହାନ, ସହକାରୀ କୋଚ୍‌: ବୈଶାଳୀ ଫଡଟାରେ।

Share