Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ମୌରିସିଓଙ୍କ ଗୋଲରେ ଓଏଫ୍‌ସି ବିଜୟୀ

ଭୁବନେଶ୍ୱର, ୪।୧୧(ତପନ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ଘରୋଇ ପରିବେଶରେ ଆଉ ଏକ ବିଜୟ ସ୍ବାଦ ଚାଖିଛି ଓଡ଼ିଶା ଏଫ୍‌ସି। ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଏଫ୍‌ସି ୧-୦ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡକୁ ପରାସ୍ତ କରିଛି। ମ୍ୟାଚର ୩୭ତମ ମିନିଟରେ ଡିଏଗୋ ମୌରିସିଓ ସ୍କୋର କରିଥିବା ଗୋଲଟି ଶେଷରେ ନିର୍ଣ୍ଣାୟକ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଆକ୍ରମଣାତ୍ମକ ରଣନୀତିରେ ଖେଳିଥିଲେ ମଧ୍ୟ ଗୋଲ ହୋଇ ନ ଥିଲା। ଚଳିତ ଲିଗ୍‌ରେ ଓଡ଼ିଶା ଏଫ୍‌ସିର ଏହା କ୍ରମାଗତ ଦ୍ୱିତୀୟ ଓ ଓଭରଅଲ୍‌ ତୃତୀୟ ବିଜୟ। ଦଳ ଏହାର ପୂର୍ବ ମ୍ୟାଚରେ ଅକ୍ଟୋବର ୩୧ରେ ବେଙ୍ଗାଲୁରୁ ଏଫ୍‌ସିକୁ ୩-୨ ଗୋଲରେ ପରାସ୍ତ କରିଥିଲା। ୬ ମ୍ୟାଚରୁ ୩ ବିଜୟ, ୨ ପରାଜୟ ଓ ୧ ଡ୍ର ସହ ଓଏଫ୍‌ସି ୧୦ ପଏଣ୍ଟ ସହ ଟେବୁଲର ୪ର୍ଥ ସ୍ଥାନରେ ରହିଛି। କେରଳ ବ୍ଲାଷ୍ଟର୍ସ ଓ ଏଫ୍‌ସି ଗୋଆ ନିକଟରୁ କ୍ରମାଗତ ପରାଜୟ ପରେ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଛି।

Share