Categories: ଖେଳ

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ କ୍ରିକେଟର୍‌

ବିଶାଖାପାଟନମ, ୮।୮: ଆନ୍ଧ୍ରପ୍ରଦେଶ ଦଳର ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କୋନା ଶ୍ରୀକର (କେଏସ୍‌) ଭରତ ବିବାହିତ ଭାରତୀୟ କ୍ରିକେଟର୍‌ ତାଲିକାରେ ଯୋଡ଼ି ହୋଇଛନ୍ତି। ଭାରତୀୟ ଘରୋଇ କ୍ରିକେଟ୍‌ର ଏହି ପ୍ରମୁଖ ଉଇକେଟ୍‌କିପର ଦୀର୍ଘ ଦିନର ବାନ୍ଧବୀ ଅଞ୍ଜଳୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଭରତ ଓ ଅଞ୍ଜଳୀ ୧୦ ବର୍ଷ ହେବ ପରସ୍ପରକୁ ଡେଟିଂ କରୁଥିଲେ। ଶେଷରେ ବିଶାଖାପାଟନମରେ ଏକ ନିରାଡମ୍ବର ବିବାହ ଉତ୍ସବରେ ଉଭୟ ପରସ୍ପରର ହାତ ଧରିଛନ୍ତି। କରୋନା ମହାମାରୀ ଲାଗି ବିବାହ ଉତ୍ସବରେ ଅଳ୍ପ ସଂଖ୍ୟକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିବାହ ଉତ୍ସବର କେତେକ ଫଟୋକୁ ଭରତ ତାଙ୍କ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଶେୟାର କରିଛନ୍ତି। ଏହି ଫଟୋରେ ଉଭୟ ଭରତ ଓ ଅଞ୍ଜଳୀ ମଣ୍ଡପ ଉପରେ ଏକାଠି ଠିଆ ହୋଇଥିବାର ଦେଖିବାକୁ ମିଳିଛି। ଏହି ଅବସରରେ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ତାଙ୍କ ନିକଟକୁ ଆସିବାରେ ଲାଗିଛି।

ଅକ୍ଟୋବର ୧୯୯୩ରେ ବିଶାଖାପାଟନମରେ ଜନ୍ମଗ୍ରହଣ କରିଥିବା ଭରତ ବର୍ତ୍ତମାନ ସୁଦ୍ଧା ଭାରତ ପକ୍ଷରୁ ଖେଳିପାରି ନାହାନ୍ତି। ଗତ ଜାନୁୟାରୀରେ ସେ ରିଷଭ ପନ୍ତଙ୍କ ବ୍ୟାକ୍‌ ଅପ୍‌ ଭାବେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଲାଗି ଦଳରେ ସ୍ଥାନ ପାଇଥିଲେ ମଧ୍ୟ ଖେଳିବାର ସୁଯୋଗ ପାଇ ନ ଥିଲେ। ତେବେ ସେ ଭାରତ-ଏ ପକ୍ଷରୁ ଅନେକ ମ୍ୟାଚ୍‌ ଖେଳିସାରିଛନ୍ତି। ଆନ୍ଧ୍ର ପ୍ରଦେଶର ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ଭାରତୀୟ ଘରୋଇ କ୍ରିକେଟ୍‌ ଇତିହାସରେ ପ୍ରଥମ ଉଇକେଟ୍‌କିପର ଭାବେ ତ୍ରିଶତକ ହାସଲ କରିଥିଲେ। ୨୦୧୫ରେ ଗୋଆ ବିପକ୍ଷ ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ଅବସରରେ ଭରତ ୩୦୮ ରନର ତ୍ରିଶତକୀୟ ଇନିଂସ ଖେଳିଥିଲେ। ଏହା ମଧ୍ୟରେ ସେ ୩୮ ଚୌକା ଓ ୬ଟି ଛକା ମାରିଥିଲେ। ସେହିଭଳି ଆନ୍ଧ୍ର ପ୍ରଦେଶ ପକ୍ଷରୁ ସେ ୬୯ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଓ ୪୬ଟି ଲିଷ୍ଟ-ଏ ମ୍ୟାଚ୍‌ ଖେଳିଛନ୍ତି।

Share