Categories: ବାଣିଜ୍ୟ

ରୁଷିଆରୁ ତେଲ ଆଣିବାକୁ ଭାରତୀୟ କମ୍ପାନୀ ଆଗ୍ରହୀ

ନୂଆଦିଲ୍ଲୀ,୧୮ା୩ ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଓସିଏଲ୍‌) ରୁଷିଆରୁ ଅଶୋଧି ତୈଳ ଆମଦାନୀ ନେଇ ସୂଚନା ମିଳିବା ପରେ ଦେଶର ଅନ୍ୟ କମ୍ପାନୀ ଯଥା ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌(ଏଚ୍‌ପିସିଏଲ୍‌) ମଧ୍ୟ ରୁଷିଆଠାରୁ ୨୦ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିଛି। ଅପରପକ୍ଷରେ ଭାରତୀୟ ତୈଳ ରିଫାଇନେରି କମ୍ପାନୀଗୁଡ଼ିକ ରୁଷିଆଠାରେ କମ୍‌ ଦାମ୍‌ରେ ଉପଲବ୍ଧ ତୈଳ କ୍ରୟ କରିବାକୁ ପ୍ରୟାସ ଜାରି ରଖିଛନ୍ତି। ଏପରିକି ଆଇଓସିଏଲ୍‌ ଭଳି ଏଚ୍‌ପିସିଏଲ୍‌ ମଧ୍ୟ ୟୁରୋପିଆନ୍‌ ଟ୍ରେଡର ‘ଭିଟୋଲ୍‌’ ଜରିଆରେ ୟୁରାଲ୍ଡ କ୍ରୁଡ୍‌ (ରୁଷିଆରେ ଉପଲବ୍ଧ ଅଶୋଧିତ ତୈଳ) କ୍ରୟ କରିଛନ୍ତି। ସେହିଭଳି ମାଙ୍ଗାଲୋର ରିଫାଇନେରି ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡ୍‌ (ଏମ୍‌ଆର୍‌ପିଏଲ୍‌) ପକ୍ଷରୁ ୧୦ଲକ୍ଷ ବ୍ୟାରେଲ ସମାନ ପ୍ରକାର ଅଶୋଧିତ ତୈଳ କ୍ରୟ କରିବାକୁ ଟେଣ୍ଡର ଜାରି କରାଯାଇଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ବିଭିନ୍ନ ପଶ୍ଚିମ ଦେଶଗୁଡ଼ିକ ରୁଷିଆ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲଗାଯାଇଛି। ଫଳରେ ଅନେକ ଦେଶ ରୁଷିଆ ନିକଟରୁ ଅଶୋଧିତ ତୈଳ କ୍ରୟ କରିବାରୁ ବଞ୍ଚିତ ହେଉଛନ୍ତି। ଫଳରେ ରୁଷିଆ ବଜାରରେ ଅଶୋଧିତ ତୈଳ ଦର କମ୍‌ ରହିଛି। ଏହାର ସୁଯୋଗ ଉଠାଇବା ପାଇଁ ଭାରତୀୟ ରିଫାଇନେରି କମ୍ପାନୀଗୁଡ଼ିକ ରୁଷିଆଠାରୁ କମ୍‌ ଦାମ୍‌ରେ ତେଲ କ୍ରୟ କରିବାକୁ ଟେଣ୍ଡରମାନ ଜାରି କରିଛନ୍ତି। ଦେଶର ସର୍ବବୃହତ୍‌ ପେଟ୍ରୋଲିୟମ୍‌ କମ୍ପାନୀ ଆଇଓସିଏଲ୍‌ ଗତ ସପ୍ତାହରେ ଭିଟୋଲ୍‌ ଜରିଆରେ ମେ’ ମାସ ଡେଲିଭରି ପାଇଁ ରୁଷିଆଠାରୁ ଅଶୋଧିତ ତୈଳ କ୍ରୟ କରିଛି। କମ୍ପାନୀକୁ ଏହି ତୈଳ ବ୍ୟାରେଲ ପିଛା ୨୦-୨୫ ଡଲାରରେ କ୍ରୟ କରିଛି। ସେହିପରି ଚଳିତ ସପ୍ତାହରେ ଏଚ୍‌ପିସିଏଲ୍‌ ୨୦ଲକ୍ଷ ବ୍ୟାରେଲ ୟୁରାଲ୍ଡ କ୍ରୁଡ୍‌ କ୍ରୟ କରିଛିି। ତେବେ ବିଶ୍ୱର ସର୍ବବୃହତ୍‌ ରିଫାଇନେରି ପରିଚାଳନା କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଆମେରିକାରେ ନିବେଶ ରହିଥିବାରୁ ଏହା ରୁଷିଆ ନିକଟରୁ ତୈଳ କ୍ରୟ କରିବା ସୁଯୋଗରୁ ବଞ୍ଚିତ ହୋଇପାରେ। ୨୦୨୦ଠାରୁ ରୁଷିଆର ରୋସ୍‌ନେଫ୍ଟରୁ ତୈଳ କ୍ରୟ ପାଇଁ ଆଇଓସିଏଲ୍‌ର ବୁଝାମଣା ରହିଛି।

Share