Categories: ବାଣିଜ୍ୟ

ନୂତନ ଶକ୍ତି ବଳରେ ଭାରତ ହେବ ମହାଶକ୍ତି

ମୁମ୍ବାଇ,୨୪।୨: ଦେଶର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ (ଆର୍‌ଆଇଏଲ୍‌)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି, ଆଗାମୀ ଦୁଇ ଦଶନ୍ଧିରେ ନୂତନ ଶକ୍ତି ବଳରେ ଭାରତ ବୈଶ୍ୱିକ ମହାଶକ୍ତିର ମାନ୍ୟତା ହାସଲ କରିପାରିବ। ଏହି ସମୟ ମଧ୍ୟରେ ଭାରତର ସବୁଜ ଶକ୍ତିର ରପ୍ତାନି ୫୦୦ ବିଲିୟନ ଡଲାର ଅତିକ୍ରମ କରିବ। ବର୍ତ୍ତମାନ ସମୟରେ ଆର୍‌ଆଇଏଲ୍‌ ସୌର ଉପକରଣ ଉତ୍ପାଦନ, ସବୁଜ ହାଇଡ୍ରୋଜେନ ଉତ୍ପାଦନ ଏବଂ ଶକ୍ତି ସଂରକ୍ଷଣ ସହ ସବୁଜ ଶକ୍ତି କ୍ଷେତ୍ରରେ ମଧ୍ୟ ବ୍ୟବସାୟ ବିସ୍ତାର ଆରମ୍ଭ କରିଛି। ଚଳିତ ମାସ ୨୩ରୁ ୨୫ ପର୍ଯ୍ୟନ୍ତ ଚାଲିବାକୁ ଥିବା ‘ଏସିଆନ୍‌ ଇକୋନୋମିକ୍‌ ଡାଏଲଗ୍‌ ୨୦୨୨’ କୁ ସମ୍ବୋଧିତ କରି ଅମ୍ବାନୀ ଏହା କହିଛନ୍ତି। ସେହିଭଳି ପୁଣେ ଇଣ୍ଟରନ୍ୟାଶନାଲ ସେଣ୍ଟରର ସଭାପତି ରଘୁନାଥ ମାଶେଲକରଙ୍କ ସହ ଆଲୋଚନା କରିବା ଅବସରରେ ମୁକେଶ କହିଛନ୍ତି, ଆଗାମୀ ଦୁଇ ଦଶନ୍ଧିରେ ୨୦ରୁ ୩୦ ଭାରତୀୟ ଶକ୍ତି କମ୍ପାନୀ ରିଲାଏନ୍ସ ଭଳି ବଡ ଼ହେବା ଭଳି ସାମର୍ଥ୍ୟ ରଖିଛନ୍ତି। ଦୁନିଆକୁ ପୁନର୍ବାର ନିର୍ଦ୍ଧାରଣ କରିବାର ଶକ୍ତି ନୂତନ ଊର୍ଜା ବା ସବୁଜ ଶକ୍ତି ପାଖରେ ରହିଛି। ଯେତେବେଳେ କାଠକୁ କୋଇଲାରେ ରୂପାନ୍ତରିତ କରାଗଲା, ସେତେବେଳେ ୟୁରୋପ ଉଭୟ ଭାରତ ଓ ଚାଇନାକୁ ପଛରେ ଛାଡ଼ି ଦେଇଥିଲା। ସେହିପରି ତୈଳ ଜରିଆରେ ଆମେରିକା ଓ ପଶ୍ଚିମ ଏସିଆର ଦେଶଗୁଡ଼ିକ ବହୁ ଆଗକୁ ବଢ଼ିଯାଇଥିଲେ। ବର୍ତ୍ତମାନ ଭାରତର ସମୟ ଆସିଛି, ଯେଉଁଠାରେ ଭାରତ ସବୁଜ ଓ ସ୍ବଚ୍ଛ ଶକ୍ତିରେ ଆତ୍ମନିର୍ଭର ହେବ ଏବଂ ତା’ର ରପ୍ତାନି ମଧ୍ୟ କରିବ। ଏହା ପରେ ଭାରତକୁ ଏକ ବିଶ୍ୱଶକ୍ତି ହେବାକୁ କେହି ରୋକିପାରିବେ ନାହିଁ। ସବୁଜ ଶକ୍ତି ଜରିଆରେ ଭାରତ କେବଳ ବିଶ୍ୱସ୍ତରୀୟ ଶକ୍ତିରେ ରୂପାନ୍ତରିତ ହେବ ତାହା ନୁହେଁ ବରଂ ରୋଜଗାର ମଧ୍ୟ ସୃଷ୍ଟି କରିବ। ବୈଦେଶିକ ମୁଦ୍ରାର ମଧ୍ୟ ବିପୁଳ ସଞ୍ଚୟ ହେବ ବୋଲି ଅମ୍ବାନୀ କହିଛନ୍ତି।

Share