ନୂଆଦିଲ୍ଲୀ, ୨୫ା୧: ୭୭ତମ ସାଧାରଣତନ୍ତ୍ର ଦିବସର ପୂର୍ବ ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ସେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତର ସୁରକ୍ଷା, ନାରୀ ସଶକ୍ତିକରଣ ଏବଂ ବିଶ୍ୱ ଶାନ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି।
ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ଯେ, ‘ବିଶ୍ୱ ଆଜି ସଂଘର୍ଷ ଦେଇ ଗତି କରୁଥିବା ବେଳେ ଭାରତ ଶାନ୍ତିର ଦୂତ ସାଜିଛି। ମାନବ ଜାତିର ସୁରକ୍ଷିତ ଭବିଷ୍ୟତ ପାଇଁ ଶାନ୍ତି ଅପରିହାର୍ଯ୍ୟ।’
ଏଥିସହିତ ସୀମା ପାର୍ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରିବାରେ ‘ଅପରେସନ ସିନ୍ଦୂର’ର ସଫଳତାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ସେନା, ବାୟୁସେନା ଏବଂ ନୌସେନାର ପ୍ରସ୍ତୁତି ଉପରେ ଦେଶବାସୀଙ୍କ ଅକୁଣ୍ଠ ବିଶ୍ୱାସ ରହିଛି।
୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନରେ ମହିଳାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ୧୦ କୋଟିରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅର୍ଥନୀତିକୁ ସମୃଦ୍ଧ କରୁଛନ୍ତି। ମତଦାନରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ପଞ୍ଚାୟତିରାଜ ଅନୁଷ୍ଠାନରେ ସେମାନଙ୍କ ଭାଗିଦାରୀ ୪୬%କୁ ବୃଦ୍ଧି ପାଇବା ଏକ ବଡ଼ ସଫଳତା।
ଭାରତ ଆଜି ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି। ଖୁବଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ। ବିଶ୍ୱର ଅଧାରୁ ଅଧିକ ଡିଜିଟାଲ କାରବାର ଏବେ ଭାରତରେ ହେଉଛି।
ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ମାଧ୍ୟମରେ ପ୍ରାୟ ୮୧ କୋଟି ଲୋକଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଉଛି। କେହି ଯେପରି ଭୋକିଲା ନ ରହିବେ, ତାହା ସୁନିଶ୍ଚିତ କରାଯାଉଛି।
ଆମ ପୂର୍ବଜମାନେ ଆମକୁ ରାଷ୍ଟ୍ରୀୟ ସାଂସ୍କୃତିକ ଏକତା ଶିଖାଇଛନ୍ତି। ‘ବନ୍ଦେ ମାତରମ’ ରଚନାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସେ ସାଂସ୍କୃତିକ ଏକତା ଏବଂ ସାମ୍ବିଧାନିକ ଜାତୀୟତାବାଦ ଉପରେ ଆଲୋକପାତ କରିଛନ୍ତି।

